ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଓ ଭାରତର ସଂପର୍କ ସୃଦୃଢ଼ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କେନ୍ଦ୍ରାପଡ଼ା ଜିଲ୍ଳାର ଗରଦପୁର ବ୍ଲକ ଅଧୀନ ବ୍ରହ୍ମପୁର ଗ୍ରାମର ପ୍ରଫେସର କମଳାକାନ୍ତ ଦାଶଙ୍କୁ ମେଲବର୍ଣ୍ଣ ସ୍ଥିତ ଭିକ୍ଟୋରିଆ ରାଜ୍ଯ ସଂସଦରେ ସମ୍ମାନିତ କରାଯାଇଛି l ସେ ଅନାମ ଚରଣ ଦାଶ ଓ ମନୋରମା ଦାଶଙ୍କ ଜ୍ୟେଷ୍ଠ ପୁତ୍ର l ପ୍ରଫେସର ଶ୍ରୀ ଦାଶ ଭାରତ ଓ ଅଷ୍ଟ୍ରେଲିଆ ଦ୍ଵିପାକ୍ଷିକ ସଂପର୍କ ସୃଦୃଢ଼ ନେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି l ଦୀର୍ଘ ୪ ବର୍ଷ ଧରି ଅଷ୍ଟ୍ରେଲିଆ ଅସ-ଇଣ୍ଡ ବ୍ରିଜ ଅନୁଷ୍ଠାନକୁ ପ୍ରତିଷ୍ଠା କରି ଦୃଢ଼ ନେତୃତ୍ଵ ବଳରେ ଭାରତ ତଥା ଅଷ୍ଟ୍ରେଲିଆର ଯୁବ ସମାଜକୁ ସଂଯୋଗ କରାଇବାରେ ସମର୍ଥ ହୋଇଛନ୍ତି l ପ୍ରଫେସର ଶ୍ରୀ ଦାଶଙ୍କୁ ସମ୍ମାନିତ କରିବା ପାଇଁ ସ୍ବତନ୍ତ୍ର ଭାବରେ ନିମନ୍ତ୍ରଣ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଛି l ସଂସଦ ପରିସରରେ ସାଂସଦ ଇୱାନ ୱାଲର୍ଟରସ ପ୍ରଫେସର ଦାଶଙ୍କୁ ସମ୍ମାନିତ କରି ଭୂୟସୀ ପ୍ରଶଂସା କରି ଆଗାମୀ ଦିନରେ ଶ୍ରୀ ଦାଶଙ୍କ ଅବଦାନ ଉଭୟ ଦେଶର ଯୁବ ସମାଜ ପାଇଁ ଅନୁକରଣୀୟ ହେବ ବୋଲି ମତବ୍ୟକ୍ତ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ପ୍ରଫେସର ଦାଶ ଅଷ୍ଟ୍ରେଲିଆର ବିଦେଶ ନୀତିକୁ ସୁଦୃଢ଼ କରିବା ପାଇଁ ଏସିଆ ମହାଦେଶ ଓ ଭାରତୀୟ ଉପ ମହାଦେଶ ସହିତ କିଭଳି ସମ୍ପର୍କକୁ ସୁଦୃଢ଼ କରାଯିବ ଏନେଇ ଆଲୋକପାତ କରିଥିଲେ l ପ୍ରଫେସର ଦାଶ ଅଷ୍ଟ୍ରେଲିଆର ମୋନାସ ବିଶ୍ଵବିଦ୍ୟାଳୟରେ ପାଠ ପଢ଼ିଛନ୍ତି l ବର୍ତ୍ତମାନ ରାଜସ୍ଥାନ ସରକାରଙ୍କ ପାଇଁ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି l ପ୍ରଫେସର ଦାଶଙ୍କୁ ଅଷ୍ଟ୍ରେଲିଆରେ ସମ୍ବର୍ଦ୍ଧିତ ଖବର ପ୍ରଚାର ହେବା ପରେ ନିଜ ଅଞ୍ଚଳବାସୀ ଗର୍ବ ଅନୁଭବ କରିବା ସହ ଭୂୟସୀ ପ୍ରଶଂସା କରିଛନ୍ତି I