ଭୁବନେଶ୍ୱର : ଖୁବଶୀଘ୍ର ରାଜ୍ଯରେ ଜାତୀୟ ଶିକ୍ଷାନୀତି ଲାଗୁ ହେବ । ଏଥିପାଇଁ ରାଜ୍ୟ ସରକାର ପୁରା ପ୍ରସ୍ତୁତ ଅଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହ ରାଜ୍ୟରେ ଶିକ୍ଷାନୀତି ଲାଗୁ ନେଇ ଆଲୋଚନା କରିଛନ୍ତି ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ ଏକଥା ମଧ୍ଯ କହିଛନ୍ତି ଯେ, ଗତ ଦିନରେ ରାଜ୍ୟରେ ପିଏମ୍ଶ୍ରୀ ସ୍କୁଲ ନଥିଲା । ଏବେ ପ୍ରତିଷ୍ଠା ହୋଇଛି । ଆଗକୁ ମଧ୍ୟ ଆହୁରି ପିଏମଶ୍ରୀ ସ୍କୁଲ ନିର୍ମାଣ କରାଯିବ। ଏଥିପାଇଁ କେନ୍ଦ୍ର ପ୍ରତିଶୃତି ଦେଇସାରିଛି। ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବ। ଖାସ୍ କରି ଶିକ୍ଷକ ନିଯୁକ୍ତରେ ଆମ ସରକାର ଆଗରେ ରହିଛନ୍ତି । ଆଗାମୀ ଦିନରେ ରାଜ୍ୟରେ ଗୋଦାବରୀଶ ପ୍ରାଥମିକ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା କରାଯିବ । ଖୁବଶୀଘ୍ର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆଗାମୀ ୫ ବର୍ଷରେ ୪୯୬ ବିଦ୍ୟାଳୟରେ ପ୍ରାଥମିକ ଆଦର୍ଶ ବିଦ୍ୟାଳୟ ଖୋଲାଯିବ ।ସେଥିପାଇଁ କାର୍ଯ୍ୟକ୍ରମ ଆରମ୍ଭ ହେଲାଣି । ଶିକ୍ଷକମାନେ ପିଲାମାନଙ୍କ ଘରକୁ ଘର ଯାଇ ସର୍ଭେ କରିବେ । ଆଦିବାସୀ ଛାତ୍ରଛାତ୍ରୀମାନେ ଯେପରି ଶିକ୍ଷା ବନ୍ଦ ନକରିବେ ସେଥିପାଇଁ ୫ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କରାଯାଇଛି ।
ଶ୍ରୀ ଗଣ୍ଡ ଏକଥା ମଧ୍ଯ କହିଛନ୍ତି ଯେ ଆସନ୍ତା ଜୁନ ୧୨ ରେ ଲୋକଙ୍କ ସରକାରକୁ ବର୍ଷେ ପୁରିବାକୁ ଯାଉଛି। ଏହି ଏକ ବର୍ଷ ଭିତରେ ଆମ ବିଭାଗ ଶିକ୍ଷାର ଅଗ୍ରଗତି ନିମନ୍ତେ ଅନେକ ନୂତନ ପଦକ୍ଷେପ ମାନ ନେଇଛି। ଏଥି ସହ ଆମେ ରାଜ୍ୟରେ ଜାତୀୟ ଶିକ୍ଷା ନୀତି ୨୦୨୦ କୁ ଲାଗୁ ମଧ୍ୟ କରିଛୁ। ଜାତୀୟ ଶିକ୍ଷା ନୀତି ଦ୍ଵାରା ଆମେ କିପରି ସଫଳତା ପାଇପାରିବା ସେଥିପାଇଁ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆମକୁ ମାର୍ଗ ଦର୍ଶନ ଦେଇଛନ୍ତି।