ଖବର ଓଡିଶା : 05/02/2023
ମାର୍ଚ୍ଚ ୧୦ ତାରିଖରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ହେବ। ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ ପକ୍ଷରୁ ମାଟ୍ରିକ, ମଧ୍ୟମା ପରୀକ୍ଷା ଆରମ୍ଭ ହେବ | ଏହି ପରୀକ୍ଷା ମାର୍ଚ୍ଚ୧୦ ରୁ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହେବା ନେଇ ସୂଚନା ରହିଛି । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ଟାରେ ସରିବ । ଚଳିତବର୍ଷ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ସାଟିଫିକେଟ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରିଥିବା ବେଳେ ୩୦୨୯ଟି କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ। ଏଥିପାଇଁ ୩୧୬ଟି ନୋଡାଲ ସେଣ୍ଟର କରିଛି ବୋର୍ଡ। ବୋର୍ଡ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଥମ ଦିନ ପ୍ରଥମ ଭାଷା ପରୀକ୍ଷା, ଦ୍ବିତୀୟ ଦିନ ଦ୍ବିତୀୟ ଭାଷା ଓ ତୃତୀୟ ଦିନ ତୃତୀୟ ଭାଷା ପରୀକ୍ଷା ହେବ । ୪ର୍ଥ ଦିନ ସାଧାରଣ ବିଜ୍ଞାନ, ୫ମ ଦିନ ସାମାଜିକ ବିଜ୍ଞାନ ଓ ଷଷ୍ଠ ଦିନ ଗଣିତ ପରୀକ୍ଷା ହେବ । ଭୋକେସନାଲ ଟ୍ରେଡ ପ୍ରାକ୍ଟିକାଲ ପରୀକ୍ଷା ନିଜ ନିଜ ସ୍କୁଲରେ ଫେବୃଆରୀ ୧୫ରୁ ୧୮ ତାରିଖ ମଧ୍ୟରେ କରାଯିବ । ଭୋକେସନାଲ ଟ୍ରେଡ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୮୦ ମାର୍କର ପରୀକ୍ଷା କରାଯିବ । ଏଥିରେ ୫୦ ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ(MCQ) ପ୍ରଶ୍ନ ରହିବ ଯାହାର ଉତ୍ତରକୁ ଓଏମ୍ଆର୍(OMR) ସିଟ୍ରେ ପୂରଣ କରାଯିବ । ତେବେ ଅବଶିଷ୍ଟ ୩୦ ନମ୍ବର ସବ୍ଜେକ୍ଟିଭ୍ ପ୍ରଶ୍ନ ରହିବ ଓ ଏହାର ଉତ୍ତର ପ୍ରଶ୍ନପତ୍ର ବୁକ୍ଲେଟ୍ରେ ଲେଖିବାକୁ ପଡ଼ିବ । ଏଥିସହ ଗଣିତ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍ ମିଳିବ । ଅର୍ଥାତ୍ ଗଣିତ ପରୀକ୍ଷା ଅବଧି ୨ ଘଣ୍ଟା ୧୫ ମିନିଟ୍ ରହିବ ।