ଆଜିଠୁ ଦଶମ ସମେଟିଭ -୧, ପରୀକ୍ଷା ଦେବେ ୫,୭୬,୨୨୩ ଜଣ ଛାତ୍ରୀଛାତ୍ର ଭୁବନେଶ୍ୱର, ଜାନୁଆରୀ ୦୫(ଖବର ଓଡିଶା): Share story: ଦଶମ ଶ୍ରେଣୀ ସମେଟିଭ ଆସେସ୍ମେଣ୍ଟ-୧ ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି । ପ୍ରଥମ ଥର ପାଇଁ ଓଡିଶା ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସ୍ଇ) ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭିନ୍ନ ଫର୍ମାଟ୍ରେ ମାଟ୍ରିକ୍ ପରୀକ୍ଷା କରୁଛି । ୩୦୯୩ କେନ୍ଦ୍ରରେ ମୋଟ୍ ୫ ଲକ୍ଷ ୭୬ ହଜାର ୨୨୩ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ । ୫ ରୁ ୮ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ପରିକ୍ଷା ଚାଲିବ। ପ୍ରଥମ ୩ ଦିନ ଦୁଇଟି ସିଟିଂରେ ଥିଓରି ପରିକ୍ଷା ଏବଂ ଶେଷ ଦିନରେ ପ୍ରାକ୍ଟିକାଲ ପରିକ୍ଷା କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ମଙ୍ଗଳବାର ସୂଚନା ଦେଇଛନ୍ତି ଯେ ଜିଲ୍ଲା ପ୍ରଶାସନ ନିଜ ନିଜ ଜିଲ୍ଲାରେ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। ପରୀକ୍ଷାର ବ୍ୟବସ୍ଥିତ ପରିଚାଳନା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତି ସରିଛି ବୋଲି ଦାସ କହିଛନ୍ତି। ପରୀକ୍ଷା ପାଇଁ ବର୍ତ୍ତମାନ ୩୧୧ ନୋଡାଲ କେନ୍ଦ୍ରରେ ପ୍ରଶ୍ନପତ୍ର ପହଁଞ୍ଚି ସାରିଛି । ଆଜି ସକାଳ ୮ଟାରେ ପ୍ରଶ୍ନ ପତ୍ର ପରୀକ୍ଷା କେନ୍ଦ୍ର ଗୁଡିକରେ ପହଁଞ୍ଚିବ । କପି ରୋକିବା ପାଇଁ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ମାନଙ୍କ ପକ୍ଷରୁ ମୋଟ୍ ୭୨ ଷ୍ଟାଡ୍ ଓ ବୋର୍ଡ ପକ୍ଷରୁ ୪୦ ସେଣ୍ଟ୍ରାଲ ସ୍ଟାଡ୍ ଗଠନ କରାଯାଇଛି ଏହା ବ୍ୟତୀତ ନିଜ ଜିଲାରେ ପରୀକ୍ଷାକୁ ସୁବନ୍ଦୋବସ୍ତ କରିବା ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଆବଶ୍ୟକ ପଡେ ତେବେ ଅଧିକ ଷ୍ଟାଡ୍ ବ୍ୟବସ୍ଥା କରାଯିବ ବୋଲି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯାଇଛି। ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ବ ଦିଆଯାଇଛି। ପ୍ରତ୍ୟେକ ଶ୍ରେଣୀଗୃହରେ ସର୍ବାଧୂକ ୨୪ ଜଣ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେବା ପାଇଁ ନିଷ୍ପତ୍ତି ହୋଇଛି। ପରୀକ୍ଷା କେନ୍ଦ୍ରଗୁଡିକୁ ମୋବାଇଲ ନେବାକୁ ମନା କରାଯାଇଛି। ପରୀକ୍ଷା କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟମାନେ ମଧ୍ୟ ପରୀକ୍ଷା ହଲକୁ ଯିବା ପୂର୍ବରୁ ନିଜ ମୋବାଇଲକୁ ଲକରରେ ରଖି ଯିବା ପାଇଁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଖବର ଓଡ଼ିଶା, Reporter, 05/01/2022