ଜଗତସିଂହପୁର: ଖୋର୍ଦ୍ଧା ବାଲିପାଟଣା ଅଞ୍ଚଳରେ ଥିବା ଦୁଲାଦେଇ ଓ ବେଲେଶ୍ୱର ମନ୍ଦିରରୁ ମୂଲ୍ୟବାନ ମୂର୍ତ୍ତି ଚୋରି ହୋଇଥିଲା। ପୋଲିସର ତଦନ୍ତ ସମୟରେ ଜଣେ ଚୋର ଧରାପଡିଥିବା ବେଳେ ଅନ୍ୟଜଣେ ଖସିଯିବାରେ ସଫଳ ହୋଇଥିଲା। ପରବର୍ତ୍ତୀ ସମୟରେ ଫୋନ ଟ୍ରାକିଂ ଜରିଆରେ ଫେରାର ହୋଇଥିବା ଚୋରକୁ ପୋଲିସ ନିଆଳି ଅଞ୍ଚଳରୁ ଧରିବାରେ ସଫଳ ହୋଇଥିଲା। ଧରାପଡିଥିବା ଚୋର ଦୁଇ ଜଣ ହେଲେ ବରଦା ଓ ଅନନ୍ତ। ପୋଲିସର ପଚରାଉଚୁରାରୁ ଉଭୟଙ୍କ ଘର ଜଗତସିଂହପୁରର ତୁମ୍ବା ଚଢ଼େଇ ଗାଁରେ ବୋଲି ଜଣା ପଡ଼ିଥିଲା। ଖୋର୍ଦ୍ଧା ପୋଲିସ ଜଗତସିଂହପୁର ପୋଲିସର ସହାୟତାରେ ଅଭିଯୁକ୍ତର ଗ୍ରାମ ଚଢେଇଗାଁରେ ପହଂଚି ମୂର୍ତ୍ତି ସମେତ ମୂଲ୍ୟବାନ ସାମଗ୍ରୀକୁ ଘର ପଛ ପଟୁ ମାଟି ତଳୁ ଖୋଳି ଜବତ କରିଥିଲା। ପୋଲିସ ବରଦାର ଅନ୍ୟ ଜଣେ ଭାଇ ସାରଦା ଏବଂ ତାଙ୍କ ମାଙ୍କୁ ଥାନାକୁ ଆଣିପଚରା ଉଚୁରା କରୁଛି। ଏହି ମୂର୍ତ୍ତି ଚୋରି ରାକେଟରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ପୋଲିସ ଏହାର ତଦନ୍ତ କରୁଛି।