ସେପ୍ଟେମ୍ବର ୨ ତାରିଖରେ ଇସ୍ରୋ ତାର ସୂର୍ଯ୍ୟ ମିଶନ ଆଦିତ୍ୟ- L1କୁ ଲଞ୍ଚ କରିଥିଲା। ଏଥିରେ ଆଦିତ୍ୟ ଏଲ୍ ୧ ସଫଳ ଉତକ୍ଷେପଣ କରିଥିଲା । ହେଲେ ସୂର୍ଯ୍ୟଙ୍କ ରହସ୍ୟକୁ ଖୋଲିବା ପାଇଁ, ଭାରତର ଆଦିତ୍ୟ- L1 ମିଶନ ପଛରେ ଥିବା ଦଳ ଅତ୍ୟଧିକ ସଠିକତା ବଜାୟ ରଖିବା ପାଇଁ ଅସାଧାରଣ ପଦକ୍ଷେପ ନେଇଥିଲେ | ଏହି ଟିମରେ ଥିବା ସମସ୍ତ ବୈଜ୍ଞାନିକଙ୍କୁ ପ୍ରୋଜେକ୍ଟ ଆରମ୍ଭରୁ ଶେଷଯାଏଁ କୌଣସି ପ୍ରକାର ଅତର ବା ପରଫ୍ୟୁମ୍ ବ୍ୟବହାର କରିବାକୁ ମନା ହୋଇଥିଲା । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ (IIA) ଅତରର ବ୍ୟବହାରକୁ ନିଷେଧ କରିବା ଏବଂ ସ୍କ୍ରୁର ଅଲଟ୍ରାସୋନିକ୍ ସଫା କରିବା ସହିତ ସେମାନଙ୍କ ସୁବିଧାରେ ସର୍ବାଧିକ ପରିଷ୍କାରତା ସୁନିଶ୍ଚିତ କରିଥିଲା | ଏହାର କାରଣ ହେଉଛି, ଆଦିତ୍ୟ-ଏଲ୍୧ର ମୁଖ୍ୟ ପେଲୋଡ୍ ଭିଜିବ୍ଲ ଏମିସନ ଲାଇନ୍ କରୋନାଗ୍ରାଫ୍ ପାଇଁ କାମ କରୁଥିବା ଗବେଷକମାନଙ୍କୁ ଏକ ଛୋଟିଆ କଣିକା ପଦାର୍ଥ ବି ବାଧା ପ୍ରଦାନ କରିପାରେ।
ବାସ୍ତବରେ ଏକ ଷ୍ଟେରାଇଲ ବା ସମ୍ପୂର୍ଣ୍ଣ ସଂକ୍ରମଣମୁକ୍ତ ପରିବେଶକୁ ସୁନିଶ୍ଚିତ କରିବା ପାଇଁ ବୈଜ୍ଞାନିକ ଓ ଇଂଜିନିୟରମାନେ ଏକ ଏପରି ସ୍ୱଚ୍ଛ ପ୍ରକୋଷ୍ଠରେ କାମ କରୁଛନ୍ତି, ଯାହା ହସ୍ପିଟାଲ ଆଇସିୟୁଠାରୁ ୧୦୦ ଗୁଣ ପରିଷ୍କାର ଥାଏ । ତେଣୁ ଟିମ୍ର ସମସ୍ତ ସଦସ୍ୟ ଅତି ସ୍ୱଚ୍ଛ ସଂକ୍ରମଣରହିତ ପୋଷାକ ମଧ୍ୟ ପରିଧାନ କରିଥାନ୍ତି ବୋଲି ଭେଲକ ବୈଷୟିକ ଟିମ୍ ମୁଖ୍ୟ ନାଗଭୂଷଣ ଏସ୍ କହିଛନ୍ତି। କୌଣସି ବାହ୍ୟ କଣିକା ଯେପରି ବୈଜ୍ଞାନିକମାନଙ୍କୁ ବାଧା ପ୍ରଦାନ କରି ନ ପାରେ ସେଥିପାଇଁ ସେମାନେ ହାଇ-ଏଫିସିଏନ୍ସି ପାର୍ଟିକୁଲେଟ୍ ଏୟାର ଫିଲ୍ଟର, ଆଇସୋପ୍ରୋପାଇଲ ଆଲକୋହଲ ବ୍ୟବହାର ସହ କଡ଼ାକଡ଼ି ପ୍ରୋଟୋକଲ ପାଳନ କରନ୍ତି। ଏକ ସାମାନ୍ୟ ବାହ୍ୟ କଣିକା ବି ଅନେକ ଦିନର କାମକୁ ନଷ୍ଟ କରିଦେଇ ପାରେ ବୋଲି ନାଗଭୂଷଣ କହିଛନ୍ତି।