ନୂଆଦିଲ୍ଲୀ : ଚାକିରୀ କରିବା ପାଇଁ ଭାରତରୁ ଲକ୍ଷାଧିକ ଲୋକ ପ୍ରତିବର୍ଷ ବିଦେଶ ଯାଇଥାନ୍ତି । ଏମାନଙ୍କ ମଧ୍ୟରୁ ୨୬ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ସାଉଦି ଆରବ ଗସ୍ତ କରିଥାନ୍ତି ଚାକିରୀ ପାଇଁ । ସାଉଦି ଆରବର ଉଚ୍ଚ ଦରମା ଲୋକ ମାନଙ୍କୁ ବେଶି ଆକୃଷ୍ଟ କରିଥାଏ ସେଠାରେ ଚାକିରୀ କରିବା ପାଇଁ । କିନ୍ତୁ ସେଠାକାର କଡା ନିୟମ ପାଇଁ ଅନେକ ସମୟରେ ବହୁ ଭାରତୀୟ ପ୍ରବାସୀ ସେଠାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।
ବିଶେଷ କରି ସାଉଦି ଆରବର ଶ୍ରମ ଆଇନ୍ ବିଦେଶୀ କର୍ମଚାରୀ ମାନଙ୍କ ନିଜସ୍ୱ ଚାକିରୀ କରିବାର ସ୍ୱାଧୀନତାକୁ ଛଡାଇ ନେଇଥିଲା । ଯେଉଁଥିରେ ଏବେ ବ୍ୟାପକ ପରିବର୍ତନ କରିଛନ୍ତି ସାଉଦି ସରକାର ।
ପୂର୍ବରୁ ସାଉଦି ଆରବର ଶ୍ରମ ଆଇନ୍ ଅନୂଯାଇ ବିଦେଶୀ ଶ୍ରମିକ ଯଦି ସାଉଦି ଆରବରେ ଚାକିରୀ କାରୁଥିଲେ ତାହାଲେ ସେମାନେ ଗୋଟିଏ ଚାକିରୀରୁ ଆଉ ଗୋଟିଏ ଚାକିରୀ ନିଜ ଇଚ୍ଛାରେ କରିପାରିବେ ନାହିଁ । ଅର୍ଥାତ୍ କର୍ମଚାରୀମାନଙ୍କର ଯଦି କୌଣସି ଚାକିରୀକୁ ନେଇ ସମସ୍ୟା ହୁଏ କିମ୍ବା ସେମାନଙ୍କୁ ସେହି କାର୍ଯ୍ୟ ପସନ୍ଦ ଆସେନି ତଥାପି ସେମାନେ ସେମାନଙ୍କ ଚାକିରୀ ଛାଡି ଅନ୍ୟ ଚାକିରୀ କରିପାରିବେ ନାହିଁ । ଏଥିପାଇଁ ସେମାନଙ୍କୁ ସେମାନେ କର୍ଯ୍ୟରତ ଥିବା କମ୍ପାନୀ ଠାରୁ ଅନୁମତି ଦରକାର ହୋଇଥାଏ । ଯଦି ଉକ୍ତ କମ୍ପାନୀ ଅନୁମତି ଦେଉଛି ତାହାଲେ ଯାଇ ସେହି କର୍ମଚାରୀ ଅନ୍ୟତ୍ର ଚାକିରୀ କରିପାରିବେ ।
ଏହା ଛଡା ଆଉ ଏକ କଡା ନିୟମ ହେଉଛି ସାଉଦି ଆରବ ଶ୍ରମ ନିୟମ ଅନୁଯାଇ କୌଣସି ବି ବିଦେଶୀ କର୍ମଚାରୀ ନିଜ ଇଚ୍ଛାରେ ସାଉଦି ଆରବ ଛାଡି ନିଜ ଦେଶକୁ ଗସ୍ତ କରିପାରିବେ ନାହିଁ ଯେ ପର୍ଯ୍ୟନ୍ତ ସେ କାର୍ଯ୍ୟରତ ଥିବା ସଂସ୍ଥା ତାଙ୍କୁ ଦେଶ ଛାଡି ଯିବା ପାଇଁ ଅନୁମତି ପ୍ରଦାନ କରିନାହିଁ । ଏଥିସହିତ ନିଜ ଦେଶକୁ ଫେରିବା ପରେ ପୁଣି ଥରେ ସାଉଦି ଆରବରେ ରି-ଏଣ୍ଟ୍ରି ନୟମ ମଧ୍ୟ କଡା ହୋଇଥିବାରୁ ଅତୀତରେ ବହୁ କର୍ମଚାରୀ ଅସୁବିଧାର ସମ୍ମୂଖୀନ ହୋଇ ଆସୁଛନ୍ତି ।
କିନ୍ତୁ ବର୍ତମାନ ସାଉଦି ଆରବ ଶ୍ରମ ଆଇନରେ ସଂସୋଧନ ହେବା ଫଳରେ ପ୍ରାୟ ୨୬ ଲକ୍ଷରୁ ଉର୍ଦ୍ଧ୍ୱ ଭାରତୀୟ କର୍ମଚାରୀ ଯେଉଁମାନେ କି ସାଉଦି ଆରବରେ କାର୍ଯ୍ୟରତ ଅଛନ୍ତି ସେମାନଙ୍କ ପାଇଁ ସେଠାରେ ଚାକିରୀ କରିବା ସହଜ ହେବା ସହିତ ସେମାନେ ଏହି ଆଇନ୍ ଦ୍ୱାରା ସିଧାସଳଖ ଭାବରେ ଲାଭବାନ୍ ହୋଇପାରିବେ ।
ସାଉଦି ଆରବରେ ବିଦେଶୀ ଶ୍ରମିକମାନଙ୍କ ପାଇଁ କାମ କରିବା ବର୍ତମାନ ସହଜ ହେବ । ସାଉଦି ଆରବର ମାନବ ସମ୍ବଳ ଏବଂ ସାମାଜିକ ବିକାଶ ମନ୍ତ୍ରଣାଳୟ ବୁଧବାର ଦିନ ବିଦେଶୀ ଶ୍ରମିକଙ୍କ ଉପରେ ଶ୍ରମ ଆଇନରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଛି । ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ଭିଜନ -୨୦୩୦ ଏବଂ ଜାତୀୟ ପରିବର୍ତନ କାର୍ଯ୍ୟକ୍ରମ ଅଧୀନରେ ଏହି ନିଷ୍ପତି ନିଆଯାଇଛି । ଏହା ଅଧୀନରେ ବିଦେଶୀ ଶ୍ରମିକମାନେ ଅନେକ ନୂତନ ଅଧିକାର ପାଇବେ ।
ଏଣିକି ସାଉଦି ଆରବରେ ଚାକିରୀ କରୁଥିବା କର୍ମଚାରୀ ମାନେ ନିଜ ଇଚ୍ଛାରେ କମ୍ପାନୀ ବଦଳାଇ ପାରିବା ସହିତ ସେମାନଙ୍କ ପସନ୍ଦ ଅନୁଯାଇ ଚାକିରୀ କରିପାରିବେ ଓ ନିଜ ଇଚ୍ଛାରେ ଚାକିରୀ ମଧ୍ୟ ଛାଡି ପାରିବେ ।
ଏଥିସହିତ ସେହି କର୍ମଚାରୀ ମାନଙ୍କ ସ୍ୱଦେଶ ଗସ୍ତ ଉପରେ ମଧ୍ୟ କୌଣସି ପ୍ରତିବନ୍ଧକ ରହିବ ନାହିଁ ଯାହା ଫଳରେ ସେମାନେ ଯେତେବେଳେ ଚାହିଁବେ ସେମାନେ ନିଜ ଦେଶକୁ ଫେରିପାରିବେ ଓ ସେମାନଙ୍କୁ ପୁନଶ୍ଚ ଣି-ଏଣ୍ଟ୍ରି କରିବା ପାଇଁ ମଧ୍ୟ କାହାର ଅନୁମତି ଆବଶ୍ୟକ ହେବ ନାହିଁ ।
ସାଉଦି ଆରବର ଏହି ନିଷ୍ପତିିରୁ ଭାରତୀୟମାନେ ମଧ୍ୟ ବହୁତ ଉପକୃତ ହେବେ । ସାଉଦି ଆରବରେ ପ୍ରାୟ ୨.୬ ନିୟୁତ ଭାରତୀୟ କାମ କରନ୍ତି । ସାଉଦି ରାଜଧାନୀ ରିୟାଦରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାଉଦି ଆରବର ମାନବ ସମ୍ବଳ ଏବଂ ସାମାଜିକ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାଇ ଶ୍ରମ ଆଇନରେ ସଂସ୍କାର ଆସନ୍ତା ମାର୍ଚ୍ଚ ୨୦୨୧ ରୁ କାର୍ଯ୍ୟକାରୀ ହେବ ।