ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦୬ତମ ‘ମନ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରି, ଏହି କାର୍ଯ୍ୟକ୍ରମରେ ଲୋକମାନଙ୍କୁ ଲୋକାଲ ଜିନିଷ କିଣିବାକୁ ଅନୁରୋଧ କରିଛନ୍ତି | ସେ କହିଛନ୍ତି କି ଅକ୍ଟୋବର ୩୧ ତାରିଖ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଏକ ରାଷ୍ଟ୍ରବ୍ୟାପୀ ବଡ ସଂଗଠନ ‘ମେରା ଯୁବ ଭାରତ'ର ଶୁଭାରମ୍ଭ ହେବାକୁ ଯାଉଛି । ଏହି ପ୍ଲାଟଫର୍ମ ଜରିଆରେ ଯୁବକମାନେ କିପରି ଦେଶ ନିର୍ମାଣରେ ସକ୍ରିୟ ଭୂମିକା ନିର୍ବାହ କରିପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ ପ୍ରଧାନମନ୍ତ୍ରୀ | ଏହା ଦେଶର ଯୁବକମାନଙ୍କୁ ରାଷ୍ଟ୍ରନିର୍ମାଣର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରିବ ବୋଲି ମୋଦି ନିଜ ରେଡିଓ କାର୍ଯ୍ୟକ୍ରମ ମନ କି ବାତରେ କହିଥିଲେ । ଏହି ପ୍ଲାଟଫର୍ମ ମାଧ୍ୟମରେ ସିଏ ଯୁବକମାନଙ୍କୁ MYBharat.Gov.in ରେ ପଞ୍ଜୀକରଣ କରିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ MYBharat "ଦେଶ ନିର୍ମାଣ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଯୁବକମାନଙ୍କୁ ଏକ ସୁଯୋଗ ପ୍ରଦାନ କରିବ | ଏକ ବିକଶିତ ଭାରତ ଗଠନରେ ଭାରତର ଯୁବ ଶକ୍ତିକୁ ଏକତ୍ର କରିବା ପାଇଁ ଏହା ଏକ ନିଆରା ପ୍ରୟାସ ଅଟେ |
କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଅକ୍ଟୋବର ୩୧ ଦିନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଦିନକୁ ‘ଏକତା ଦିବସ’ ଭାବେ ପାଳନ କରାଯାଏ | ଏଥିପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ‘ଏକତା ପାଇଁ ଦୌଡ଼’ କାର୍ୟ୍ୟକ୍ରମ ଆୟୋଜନ କରାଯାଉଛି । ଏହା ବାଦ ନଭେମ୍ବର ୧୫ ତାରିଖରେ ବିର୍ଷା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ସାରା ଦେଶରେ ଜନଜାତୀୟ ଗୌରବ ଦିବସର ଆୟୋଜନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।
ପ୍ରାୟ ଦୁଇ ଦିନ ପୂର୍ବରୁ ସରକାର ଘୋଷଣା କରିଥିଲେ ଯେ ଯୁବପିଢ଼ିଙ୍କ ମଧ୍ୟରେ "ନେତୃତ୍ୱ ଦକ୍ଷତା ବିକାଶ" କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରତିଷ୍ଠା କରିବେ ଏବଂ ସେମାନଙ୍କୁ ସାମାଜିକ ଅଭିନବ ତଥା ସମ୍ପ୍ରଦାୟର ନେତା ଭାବରେ ପରିଣତ କରେଇବେ । ମେରା ଯୁବ ଭାରତର ୱେବସାଇଟ୍ 'ମୋ ଭ|ରତ' ମଧ୍ୟ ଲଞ୍ଚ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ୧୫ରୁ ୨୯ ବର୍ଷ ବୟସର ଯୁବକଯୁବତୀମାନେ ଏହି ପ୍ଲାଟଫର୍ମର ଲାଭ ଉଠାଇପାରିବେ, ଯାହା ଯୁବକ ଏବଂ ଯୁବ ନେତୃତ୍ୱରେ ବିକାଶ ପାଇଁ ଉଦ୍ୟମ କରିବ | ସମଗ୍ର ଦେଶରେ ମହୋତ୍ସବ ଲାଗିଥିବା ବେଳେ ‘ମନ୍ କୀ ବାତ୍’ର ଏହି ସଂସ୍କରଣ ପ୍ରସାରିତ ହେଇଛି । ଆଗାମୀ ପର୍ବପର୍ବାଣି ନିମନ୍ତେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଏହି ସମୟରେ ‘ଭୋକାଲ୍ ଫର୍ ଲୋକାଲ୍’ ଉପରେ ପ୍ରାଧାନ୍ୟ ଦେଇ ‘ଆତ୍ମନିର୍ଭର ଭାରତ’ର ଅଭିଳାଷ ସାକାର କରିବାକୁ ମୋଦି ଭାରତବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି ।
ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ‘ଭୋକାଲ ଫର୍ ଲୋକାଲ୍' ହେବା ପାଇଁ ନିଜର ଆହ୍ବାନକୁ ଦୋହରାଇଥିଲେ। ସେ କହିଛନ୍ତି ଯେ, ପ୍ରତ୍ୟେକ ଥର ଭଳି, ଏଥର ମଧ୍ୟ ଆମର ପ୍ରାଥମିକତା ‘ଭୋକାଲ ଫର୍ ଲୋକାଲ୍’ ହେବା ଉଚିତ | ମୋଦି ଅନୁରୋଧ କରି କହିଛନ୍ତି ଯେ ବୁଲାବୁଲି କରିବାକୁ ଯାଆନ୍ତୁ କି, ତୀର୍ଥ ପାଇଁ ଯାଆନ୍ତୁ,କିନ୍ତୁ ସେଠାରେ ସ୍ଥାନୀୟ କାରିଗରଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀଗୁଡିକୁ କିଣନ୍ତୁ। ଯାହା ଫଳରେ ସ୍ଥାନୀୟ କାରିଗରମାନଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବାରେ ସହାୟକ ହୋଇପାରିବ | ଆମେ ସମସ୍ତେ ମିଶି ଆତ୍ମନିର୍ଭର ଭାରତର ସ୍ବପ୍ନକୁ ପୂରଣ କରିବା ଏବଂ ଭାରତକୁ ବିଶ୍ୱର ସବୁଠୁ ବଡ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ବୋଲି ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ : ୫୧ ହଜାର ଯୁବବର୍ଗଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ