ବାରିପଦା: ଭାରତୀୟ ଗଣତନ୍ତ୍ର ରେ ମୁଖ୍ୟ ତିନୋଟି ସ୍ତମ୍ଭ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟ ପାଳିକା ର ସଠିକ ପରିଚାଳନା ପାଇଁ ଚତୁର୍ଥ ସ୍ତମ୍ଭ ଗଣ ମାଧ୍ୟମର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରବିବାର ବାରିପଦା ଷ୍ଟାଡିୟମ ସଭାଗୃହ ଠାରେ ଓଡିଶା ସାମ୍ବାଦିକ ସଙ୍ଘ (ଓ.ଜେ.ୟୁ.) ମୟୁରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ସାମ୍ବାଦିକ ବୁଦ୍ଧିଜୀବୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ପାଳ ଶ୍ରୀଯୁକ୍ତ ନେତ୍ରାନନ୍ଦ ମଲ୍ଲିକ ଏବଂ ମୁଖ୍ୟବକ୍ତା ଭାବରେ ପ୍ରଫେସର ଡ଼. ପୁଷ୍ପା ପାତ୍ର ଯୋଗଦେଇ କହିଛନ୍ତି। ସମ୍ମାନିତ ଅତିଥି ଭାବରେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣି, ସମାଜସେବୀ ମୁରାରୀ ଲାଲ ଶର୍ମା, ଓଜେୟୁର ରାଜ୍ୟ ସଭାପତି ଶଶୀଭୁଷଣ ପ୍ରହରାଜ, ରାଜ୍ୟ ଉପସଭାପତି ଦୀପକ କୁମାର ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ୟୋଧନ ମହାରଣା, ରାଜ୍ୟ କୋଷାଧ୍ୟକ୍ଷ ଅରୁଣ କୁମାର ଷଡ଼ଙ୍ଗୀ ଯୋଗଦେଇ ଭାରତୀୟ ଗଣତନ୍ତ୍ରରେ ଚାରୋଟି ସ୍ତମ୍ଭର ଗୁରୁତ୍ୱ ଓ ସ୍ଥିତି ଶୀର୍ଷକରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ।
ଜିଲ୍ଲା ସାଧାରଣ ସମ୍ପାଦକ ଅଭିଜିତ ମହାନ୍ତି ଆଲୋଚନା ଚକ୍ରରେ ସଭାପତିତ୍ୱ କରିଥିବା ବେଳେ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଡ଼ ଶ୍ୟାମସୁନ୍ଦର ଦାସ, ବରିଷ୍ଠ ସାମ୍ବାଦିକ ହରିଶଚନ୍ଦ୍ର ନନ୍ଦଗୋସ୍ୱାମୀ ପ୍ରମୁଖ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ଏହାର ସମାଧାନ ପାଇଁ ସାମ୍ବାଦିକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। ଏହି ଅବସର ରେ ଓଡିଶା ସାମ୍ବାଦିକ ସଙ୍ଘର ପ୍ରାକ୍ତନ ଜିଲ୍ଲା ସଭାପତି ସ୍ୱର୍ଗତଃ ସୁବାସ ମହାନ୍ତି ଙ୍କୁ ମରଣତ୍ତର ସମ୍ମାନ ସହ ହରେକୃଷ୍ଣ ତ୍ରିପାଠୀ ଙ୍କୁ ସୁବାସ ମହାନ୍ତି ସ୍ମୃତି ସମ୍ମାନ ଏବଂ ବିଭିନ୍ନ ସବଡ଼ିଭିଜନ ରୁ ଆନନ୍ଦ ଦାସ, ସନ୍ତୋଷ କୁମାର ମହାନ୍ତ, ନନ୍ଦ କିଶୋରେ କିସ୍କୁ ଏବଂ ସର୍ବେଶ୍ୱର ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବରିଷ୍ଠ ସାମ୍ବାଦିକ ମଧୁ ସୁଦନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଦ୍ଵିତୀୟ ଅଧିବେଶନରେ ଅନୁଷ୍ଠିତ ଓଜେୟୁର ଜିଲ୍ଲା ସାଙ୍ଗଠନିକ ବୈଠକରେ କାର୍ଯ୍ୟକାରୀ କମିଟିର କାର୍ଯ୍ୟକାଳ ସମାପ୍ତ ହୋଇ ଥିବାରୁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।