ନୂଆଦିଲ୍ଲୀ, ଜାନୁଆରୀ ୫ (ଖବର ଓଡ଼ିଶା) : ଦେଶବ୍ୟାପୀ ଟୀକାକରଣ ପାଇଁ ଗତ ଜାନୁଆରୀ ୩ ତାରିଖରେ ଦୁଇଟି ଟୀକାକୁ ମଞ୍ଜୁରୀ ମିଳିସାରିଛି । ଟୀକାକୁ ଡିସିଜିଆଇ ଦ୍ୱାରା ଅନୁମୋଦନ ମିଳିବା ପରେ ଦେଶରେ କେବେ ଟୀକାକରଣ ଆରମ୍ଭ ହେବ ତାକୁ ନେଇ ଉତ୍କଣ୍ଠା ଦେଖାଦେଇଥିଲା ।
ଏଭଳି ସ୍ଥିତିରେ ଦେଶ ବାସୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟୀକାକରଣ ଆରମ୍ଭ ତାରିଖ ବିଷୟରେ ସୂଚନା ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁସାରେ ପୁରା ଦେଶରେ ଆସନ୍ତା ଜାନୁଆରୀ ୧୩ କିମ୍ବା ୧୪ ତାରିଖରୁ ଟୀକା କରଣ କାର୍ଯ୍ୟ ଆରମ୍ଭ କରାଯିବ ।
ଆଜି ଟୀକାକରଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ପ୍ରେସ୍ କନଫରେନ୍ସରେ ଏନେଇ ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ସଚିବଙ୍କ ଅନୁସାରେ ଟୀକାକୁ ଅନୁମୋଦନ ମିଳିବାର ୧୦ ଦିନ ପରେ କରୋନା ଭ୍ୟାକ୍ସିନ୍ ର ରୋଲଆଉଟ୍ କରାଯିବ । ଏହାକୁ ଦୃଷ୍ଟିରେ ରଖିଲେ ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନ୍ ଦୁଇଟି ଟୀକାକୁ ଜାନୁଆରୀ ୩ରେ ଡିସିଜିଆଇ ଦ୍ୱାରା ମଞ୍ଜୁରୀ ମିଳିଥିଲା । ଏହାର ୧୦ ଦିନ ପରେ ଅର୍ଥାତ୍ ଜାନୁଆରୀ ୧୩ କିମ୍ବା ୧୪ ତାରିଖରେ ପୁରା ଦେଶରେ ଟୀକା କରଣ ଆରମ୍ଭ ହୋଇ ପାରେ ।
ତେବେ ଟୀକାକରଣର ପ୍ରଥମ ପର୍ଯ୍ୟାୟରେ ଦେଶର ୩୦ କୋଟି ଲୋକଙ୍କୁ ଟୀକା ଦିଆଯିବାର ପ୍ରସ୍ତୁତି କରାଯାଇଛି ।