ଯାଜପୁର ଜିଲ୍ଲା ସୁକିନ୍ଦାରେ ଏକ ଦୁଃଖଦ ଘଟଣା ଘଟିଛି । ଜଣେ ଯୁବକଙ୍କୁ ମୃତ ଅବସ୍ଥାରେ କୁଅରୁ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ସୁଶୀଲମୟ ସିଂହ ସାମନ୍ତ । ଅନ୍ୟପକ୍ଷରେ ପରିବାର ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ । ଟଙ୍କା ମାଗିବାରୁ ବାପା ମା ପୁଅକୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ସୁଶୀଲମୟ ସିଂହ ସାମନ୍ତ ଓ ବିଜୟଲକ୍ଷ୍ମୀ ସାହୁ ପ୍ରେମ ବିବାହ କରି ସୁକିନ୍ଦାରେ ଅଲଗା ରହୁଥିଲେ । ସୁଶୀଲ ବାଙ୍ଗାଲୋରରେ କାମ କରନ୍ତି । ସେ ଗତ କିଛି ମାସ ହେବ ଘରକୁ ଆସିଥିଲେ । ଏହି ସମୟରେ ପରିବାର ଲୋକ ତାଙ୍କଠାରୁ ୨ ଲକ୍ଷ ଟଙ୍କା ନେଇଥିଲେ । ସୁଶୀଲ ବାପାଙ୍କୁ ଟଙ୍କା ଫେରାଇବାକୁ କହିଥିଲେ । ମାତ୍ର ସେ ଟଙ୍କା ଦେଉ ନ ଥିଲେ । ଗତ ରବିବାର ଦିନ ସୁଶୀଲ ନିଜେ ଟଙ୍କା ଆଣିବାକୁ ଘରକୁ ଯାଇଥିଲେ ହେଲେ ଆଉ ଫେରି ନ ଥିଲେ । ପର ଦିନ ଅର୍ଥାତ ଗତ ସୋମବାର ଦିନ ଏକ କୂଅରେ ତାଙ୍କ ମୃତ ଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା ।
ଅନ୍ୟପକ୍ଷରେ ପରିବାର ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ସ୍ତ୍ରୀ ବିଜୟାଲକ୍ଷ୍ମୀ । ସ୍ୱାମୀଙ୍କୁ ତାଙ୍କ ପରିବାର ଲୋକ ହତ୍ୟା କରିଛନ୍ତି ବୋଲି ବିଜୟାଲକ୍ଷ୍ମୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବାପା, ମା', ୫ ଭଉଣୀ ଓ ଜଣେ ମାମୁଁ ନାଁରେ ସେ ଏତଲା ଦେଇଛନ୍ତି । ଘଟଣା ପରେ ପରିବାର ଲୋକ କେଉଁଆଡ଼େ ଫେରାର ହୋଇଯାଇଥିବା ସେ କହିଛନ୍ତି । କିନ୍ତୁ ଘଟଣାକୁ ୮ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ସେ ଅଭିଯୋଗ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ସୁକିନ୍ଦା ଅଞ୍ଚଳର ଦେବ ରଞ୍ଜନ ସିଂହ ସାମନ୍ତଙ୍କ ପୁଅ ସୁଶୀଲମୟ ସିଂହ ସାମନ୍ତ କଳିଙ୍ଗନଗର ଥାନା ଡ଼ୁବୁରୀ ଅଞ୍ଚଳର ନୀଳମଣି ସାହୁଙ୍କ ଝିଅ ବିଜୟଲକ୍ଷ୍ମୀ ସାହୁଙ୍କୁ ପ୍ରେମ ବିବାହ କରିଥିଲେ । ବିଜୟାଲକ୍ଷ୍ମା ଭିନ୍ନ ଜାତିର ହୋଇଥିବାରୁ ଶାଶୁ ଘର ଲୋକେ ତାଙ୍କୁ ଗ୍ରହଣ କରି ନ ଥିଲେ । ପୁଅ ବୋହୁ ଉଭୟଙ୍କୁ ଘରୁ ବାହାର କରିଦେଇଥିଲେ । ସେମାନେ ସୁକିନ୍ଦାରେ ଏକ ଭଡ଼ା ଘରେ ରହୁଥିଲେ । ତାଙ୍କର ଗୋଟିଏ ୪ ବର୍ଷର ପୁଅ ମଧ୍ୟ ଅଛି ।