ବେଙ୍ଗାଲୁରୁ: କର୍ଣ୍ଣାଟକରେ ଇସ୍ରାଏଲ ମହିଳାଙ୍କୁ ଦୁଷ୍କର୍ମ ଏବଂ ଓଡ଼ିଆ ଯୁବକଙ୍କ ହତ୍ୟା ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି । ଏହି ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ହାଣ୍ଡି ମଲ୍ଲା ଓରଫ୍ ମଲ୍ଲେଶ ୨୨) ଓ ଚେତନ ସାଇ ସିଲେକ୍ୟାୟର (୨୧) । ଉଭୟ ଗଙ୍ଗାବତୀ ଅଞ୍ଚଳର ବାସିନ୍ଦା ଅଟନ୍ତି । ଆଉ ଜଣେ ସନ୍ଦିଗ୍ଧ ଫେରାର ଥିବା ପୋଲିସ ସୂଚନା ଦେଇଛି ।
ପୋଲିସ ସୂଚନା ମୁତାବକ, ଗୁରୁବାର ରାତି ପ୍ରାୟ ସାଢ଼େ ୧୧ଟାରେ କର୍ଣ୍ଣାଟକର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ହାମ୍ପି ନିକଟରେ ସାନପୁର ହ୍ରଦରେ ନିକଟରେ ଘଟଣାଟି ଘଟିଥିଲା । ଏଠାରେ ଅଭିଯୁକ୍ତ ଜଣକ ଜଣେ ୨୭ ବର୍ଷୀୟ ଇସ୍ରାଏଲ ମହିଳା ପର୍ଯ୍ୟଟକ ଏବଂ ଜଣେ ୨୯ ବର୍ଷୀୟ ହୋମଷ୍ଟେ ଅପରେଟରଙ୍କୁ ବଳାତ୍କାର କରିଥିଲେ । ତାଙ୍କ ସହିତ ତିନି ଜଣଙ୍କୁ ନିର୍ମମ ଭାବରେ ମାଡ଼ ମାରିଥିଲେ । ଏହା ପରେ ଜଣେ ଯୁବକଙ୍କୁ ତୁଙ୍ଗଭଦ୍ରା କେନାଲରେ ଫିଙ୍ଗି ଦିଆଯାଇଥିଲା । ଦୁଇ ଦିନ ପରେ ଯୁବକଙ୍କ ମୃତଦେହ କେନାଲରୁ ଉଦ୍ଧାର କରାଯାଇଥିଲା । ଉକ୍ତ ଯୁବକ ଜଣକ ଓଡ଼ିଶାର ଜଣେ ପର୍ଯ୍ୟଟକ ଥିଲେ। ମୃତ ଯୁବକ ଜଣକ ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଶ୍ରାନିକେତା ପଞ୍ଚାୟତ ତେରବାଡ଼ି ଗ୍ରାମର ବିଜୟ ନାୟକଙ୍କ ପୁଅ ବିଭାଷ ନାୟକ ।
ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ପୋଲିସ ଦଳ ଗଠନ କରାଯାଇଛି । ଗଙ୍ଗାବତୀ ଗ୍ରାମୀଣ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି । ମାମଲାରେ ହତ୍ୟା ଅଭିଯୋଗ ମଧ୍ୟ ଯୋଡାଯାଇଛି । ପୋଲିସ ଦୁଇ ଅଭିଯୁକ୍ତ ମଲ୍ଲେଶ ଓରଫ ଏବଂ ଚେତନ ସାଇଙ୍କୁ ଗିରଫ କରିଛି । ଅନ୍ୟ ଜଣେ ଫେରାର ଯୁବକକୁ ଧରିବାକୁ ପୋଲିସ ଟିମ୍ ଖୋଳତାଡ଼ କରୁଛି । ପୋଲିସ କହିଛି ଯେ ଅଭିଯୁକ୍ତମାନଙ୍କୁ ପଚରାଉଚରା କରାଯାଉଛି। ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳକୁ ନିଆଯାଇ ସିନ୍ ରିକ୍ରିଏଟ୍ କରାଯିବ ।
କେମିତି ଘଟିଥିଲା ଘଟଣା...
ହାମ୍ପିକୁ ବିଶେଷକରି ବିଦେଶୀ ପର୍ଯ୍ୟଟକ ଏଠାକୁ ଆସନ୍ତି । ଏହି ଚାରି ଜଣ ପର୍ଯ୍ୟଟକଙ୍କ ମଧ୍ୟରେ ଜଣେ ଇସ୍ରାଏଲୀ ମହିଳା ଏବଂ ଓଡ଼ିଶା, ଆମେରିକା ଏବଂ ମହାରାଷ୍ଟ୍ରର ତିନି ଜଣ ପୁରୁଷ ଥିଲେ । ସମସ୍ତେ ରାତ୍ରୀ ଭୋଜନ ପରେ ସେମାନଙ୍କର ମହିଳା ହୋମଷ୍ଟେ ମାଲିକଙ୍କ ସହ ତାରାମାନଙ୍କୁ ଦେଖିବାକୁ ଯାଇଥିଲେ । ସମସ୍ତେ ତୁଙ୍ଗଭଦ୍ରା ନାଳ କୂଳରେ ବସି ମଉଜ ମସ୍ତି କରୁଥିବା ସମୟରେ ତିନି ଜଣ ଲୋକ ଏକ ବାଇକ୍ ରେ ଆସି ପେଟ୍ରୋଲ ପମ୍ପ ବିଷୟରେ ପଚାରିଥିଲେ । ହୋମଷ୍ଟେ ଅପରେଟର କହିଲେ ଯେ ପାଖରେ କୌଣସି ପେଟ୍ରୋଲ ପମ୍ପ ନାହିଁ, ସେମାନେ ଟଙ୍କା ମାଗିବା ଆରମ୍ଭ କଲେ । ପର୍ଯ୍ୟଟକମାନେ ସେମାନଙ୍କୁ ଟଙ୍କା ଦେବାକୁ ମନା କରିଥିଲେ । ଅଭିଯୁକ୍ତମାନେ କନ୍ନଡ ଏବଂ ତେଲୁଗୁ ଭାଷାରେ ଗାଳି ଗୁଲଜ କରିବା ସହିତ ସେମାନଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ କରିବା ଆରମ୍ଭ କରିଦେଲେ। ଏହା ପରେ ସେମାନେ ତିନି ଜଣ ପୁରୁଷ ପର୍ଯ୍ୟଟକଙ୍କୁ ଜୋରଜବରଦସ୍ତ କେନାଲ ଭିତରକୁ ଠେଲି ଦେଇଥିଲେ । ତାଙ୍କ ବନ୍ଧୁମାନେ କେନାଲରୁ ବାହାରକୁ ଆସିବାକୁ ଚେଷ୍ଟା କରୁଥିଲେ, ସେତେବେଳେ ତିନି ଜଣ ଆକ୍ରମଣକାରୀଙ୍କ ମଧ୍ୟରୁ ଦୁଇଜଣ ଇସ୍ରାଏଲୀ ମହିଳାଙ୍କୁ ବଳାତ୍କାର କରିଥିଲେ । କେନାଲ ପାଣିରେ ଓଡ଼ିଶାର ବିଭାସ ନାୟକ ନିଖୋଜ ହୋଇଯାଇଥିଲେ । ଶୁକ୍ରବାର ସକାଳେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଶନିବାର ସକାଳେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।