ଭୁବନେଶ୍ୱର: ମାଓନେତା ଡି କେଶବ ରାଓ ଓରଫ୍ ଆଜାଦର ସମସ୍ତ ମାମଲାର ତ୍ୱରିତ ବିଚାର ପ୍ରକ୍ରିୟା କରାଯିବ । ଆଜାଦ ମାମଲାର ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରିବାକୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କୋର୍ଟରେ ସ୍ୱତନ୍ତ୍ର ବିଚାରପତି ନିଯୁକ୍ତ ହୋଇ ଶୁଣାଣି କରିବେ ।
ଆଜାଦ ବିରୋଧରେ ୩୭ଟି ମାମଲା ପଡ଼ିରହିଛି । ସେ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲରେ ରହୁଛି । ଦୀର୍ଘ ୧୪ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଜେଲରେ ରହିଥିବାରୁ ତାଙ୍କ ବିରୋଧରେ ଥିବା ମାମଲାର ତ୍ୱରିତ ବିଚାର କରିବାକୁ ସେ ପ୍ରଥମେ ଆମରଣ ଅନଶନରେ ବସିଥିଲା । ପ୍ରଥମେ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟ ଯାଇଥିଲା । ଜୁଲାଇ ୨୧, ୨୦୨୫ରେ ମାମଲାଗୁଡ଼ିକର ତ୍ୱରିତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେପ୍ଟେମ୍ବରରୁ ପହିଲାରୁ ଶୁଣାଣି ଆରମ୍ଭ କରି ବର୍ଷକ ମଧ୍ୟରେ ଶୁଣାଣି ଶେଷ କରିବାକୁ ସୁପ୍ରିମକୋର୍ଟ କହିଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନ ନିଆଯିବାରୁ ସେ ପୁଣି ଥରେ ଆମରଣ ଅନଶନ ଆରମ୍ଭ କରି ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରିଛି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
୧୮ ମେ, ୨୦୧୧ ମସିହାରେ ଆନ୍ଧ୍ର ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଆଜାଦ ଆତ୍ମସମର୍ପଣ କରିଥିଲା । ଆଜାଦ ବିରୋଧରେ ୩୭ଟି ମାମଲା ପଡ଼ିରହିଛି । ବହୁ ଚର୍ଚ୍ଚିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲା, ନୟାଗଡ଼ କାରଗାର ଲୁଟ୍, ଆର୍. ଉଦୟଗିରି ଜେଲ୍ ଆକ୍ରମଣ ଭଳି ବଡ଼ ବଡ଼ ମାମଲାରେ ଆଜାଦର ସମ୍ପୃକ୍ତି ରହିଛି ।
ଅଧିକ ପଢ଼ନ୍ତୁ:-ପୁଣି ଅଶାନ୍ତ ହେଲା ଅନୁଗୁଳ; ୩ ଦୁର୍ବୃତ୍ତ ରାତି ଅଧରେ ବାଇକରେ ଆସି ଫୁଟାଇଲେ ଗୁଳି, ଜଣେ ଗୁରୁତର