କୋରାପୁଟ: ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ବୀଭତ୍ସ ହତ୍ୟା । ହତ୍ୟା କରିଥିବା ଅଭିଯୋଗରେ ମୃତକଙ୍କ ଜୁଇରେ ଯୁବକଙ୍କୁ ଜାଳି ଦେଲେ ସମ୍ପର୍କୀୟ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଅଧିନସ୍ଥ ଛାରପା ଗ୍ରାମରେ । ତେବେ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ଗାଁ ମଧ୍ୟକୁ ପୋଲିସ ପ୍ରବେଶ କରି ପାରୁ ନଥିବା ଡଣାପଡ଼ିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ଛାରପା ଗ୍ରାମର ଜଙ୍ଗାମା ମିନ୍ୟାକାଙ୍କର କୌଣସି କାରଣ ବଶତଃ ମୃତ୍ୟୁ ହୋଇଥିଲା । ମାତ୍ର ତାଙ୍କୁ ଗୁଣି ଗାରେଡ଼ି କରି ହତ୍ୟା କରିଥିବା ନେଇ ପରିବାର ଲୋକେ ସନ୍ଦେହ କରିଥିଲେ । ଗାଁର ଶିବ ମିନ୍ୟାକା ଗୁଣି କରି ଜଙ୍ଗାମାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ସନ୍ଦେହ ପ୍ରକାଶ କରିଥିଲେ । ଏହା ପରେ ପରିବାର ଲୋକ ଶିବଙ୍କୁ ଜଙ୍ଗାମାଙ୍କ ଜୁଇ ନିକଟରେ ପିଟି ହତ୍ୟା କରିଥିଲେ ଏବଂ ଗୋଟିଏ ଜୁଇରେ ଦୁଇ ଜଣଙ୍କୁ ଜାଳି ଦେଇଥିଲେ ।
ଏନେଇ ଗାଁର ଅନ୍ୟ ଲୋକ ବନ୍ଧୁଗାଁ ପୋଲିସକୁ ଖବର ଦେଇଥିଲେ । ଖବର ଲେଖା ହେବାକୁ ବେଳକୁ ପୋଲିସ ଗାଁରେ ପହଁଚି ନ ଥିବା ଜଣାପଡ଼ିଛି । ଏହି ହତ୍ୟା କାଣ୍ଡରେ ପ୍ରାୟ ୪ ରୁ ୫ ଜଣ ବ୍ୟକ୍ତି ସମ୍ପୃକ୍ତ ଥିବା ଜଣାପଡ଼ିଛି । ତେବେ ପୋଲିସର ତଦନ୍ତ ପରେ ସମସ୍ତ ଘଟଣାରୁ ପରଦା ହଟିବ ବୋଲି ଅନୁମାନ କରାଯାଉଛି ।