କୋଲକାତା: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ୱକଫ୍ ସଂଶୋଧନ ଆଇନ ବିରୁଦ୍ଧରେ ଦେଖା ଦେଇଥିବା ହିଂସାକୁ ନେଇ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ପୋଲିସ ହିଂସା ମାମଲାରେ ୧୧୦ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି ।
ପୋଲିସର ସୂଚନା ମୁତାବକ, ୱକଫ୍ ସଂଶୋଧନ ଆଇନକୁ ନେଇ ମାଲଦା, ମୁର୍ଶିଦାବାଦ, ଦକ୍ଷିଣ ୨୪ ପରଗନା ଏବଂ ହୁଗୁଳୀରେ ହିଂସା ଦେଖାଦେଇଛି । ବିକ୍ଷୋଭକାରୀମାନେ ପୋଡ଼ା ଜଳା କରିବା ସହିତ ପଥର ମାଡ଼ କରିଛନ୍ତି । ଏହି ଜିଲ୍ଲା ମାନଙ୍କର ପୋଲିସ ଚଢ଼ଉ କରି ୧୧୦ରୁ ଉର୍ଦ୍ଧ୍ୱ ବିକ୍ଷୋଭକାରୀଙ୍କୁ ଗିରଫ କରିଛି । ସୁତୀରୁ ୭୦ ଓ ସମସେରଗଞ୍ଜରୁ ୪୧ ଜଣଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି । ସେହିପରି ଜଣେ ନାବାଳକ ଏଥିରେ ଆହତ ହୋଇଛନ୍ତି । ତାକୁ କୋଲକାତାର ଏକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏ ନେଇ ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ପୋଲିସ ସୂଚନା ଦେଇଥିବା ଜଣାପଡ଼ିଛି ।
ପୋଲିସ ପାଟ୍ରୋଲିଂ କରିବା ସହିତ ଏକାଧିକ ଲୋକଙ୍କ ଏକାଠି ବସିବା ଉପରେ କଟକଣା ଜାରି କରିଛି । କାହାକୁ ବି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଭଙ୍ଗ କରିବାକୁ ଦିଆଯିବ ନାହିଁ ବୋଲି ପୋଲିସ କଡ଼ା ଶବ୍ଦରେ କହିଛି । ସେହିପରି ସୋସିଆଲ ମିଡିଆରେ କୌଣସି ଗୁଜବ ପ୍ରସାରଣ ନ କରିବାକୁ ଚେତାବନୀ ଦିଆଯାଇଛି ।
ଅପରପକ୍ଷରେ ବିଜେପି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭର୍ତ୍ସନା କରିଛି । ପରିସ୍ଥିତିକୁ ସମ୍ଭାଳିବାରେ ମମତା ଅକ୍ଷମ ଅଟନ୍ତି । ତେଣୁ କେନ୍ଦ୍ରର ସହାୟତା ନେବାକୁ ବିଜେପି କହିଛି । ଦଳୀୟ ନେତା ଶୁଭେନ୍ଦୁ ଅଧିକାରୀ ଏକ୍ସରେ କହିଛନ୍ତି, ଏହା ଜଣାଇ ଦିଆଯାଉଛି ଯେ ଏହା ପ୍ରତିବାଦ ନୁହେଁ, ବରଂ ଏକ ଯୋଜନାବଦ୍ଧ ହିଂସାକାଣ୍ଡ, ଜିହାଦୀ ଶକ୍ତିଙ୍କ ଦ୍ୱାରା ଗଣତନ୍ତ୍ର ଏବଂ ଶାସନ ଉପରେ ଆକ୍ରମଣ । ସେମାନେ ସେମାନଙ୍କର ପ୍ରାଧାନ୍ୟ ବିସ୍ତାର ଏବଂ ସମାଜର ଅନ୍ୟ ସମ୍ପ୍ରଦାୟ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଚାହାଁନ୍ତି । ଖାଲି ସେତିକି ନୁହେଁ ସାର୍ବଜନୀନ ସମ୍ପତ୍ତି ନଷ୍ଟ କରାଯାଇଛି ଏବଂ ସରକାରୀ ଅଧିକାରୀମାନଙ୍କୁ ଧମକ ଦିଆଯାଇଛି । ଭିନ୍ନମତ ଆଳ ଦେଖାଇ ଭୟ ଏବଂ ଭୟର ବାତାବରଣ ସୃଷ୍ଟି କରାଯାଇଥିଲା। ମମତା ବାନାର୍ଜୀ ସରକାରଙ୍କ ନୀରବତା ଏହାକୁ ପ୍ରତିରୋଧ କରୁଛି ।