ଫୁଲବାଣୀ: ଯେଉଁ ଚୋରା କାରବାର କରି ଦିନେ ଚାକିରି ହରାଇଥିଲେ, ସେହି କାମ ପାଇଁ ପୁଣି ଥରେ ଜେଲ ଯିବାକୁ ପଡ଼ିଛି । ନକଲି ପୁଲିସ ବେଶରେ ଲୋକଙ୍କୁ ଲୁଟୁଥିବା ଜଣେ ପୂର୍ବତନ ପୁଲିସ କର୍ମଚାରୀ ଧରିଛି ଅସଲି ପୁଲିସ । କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ ନିଜକୁ ପୁଲିସର ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛନ୍ତି । ଯୁବକ ଜଣକ ହେଲେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନନ୍ଦିଘର ଗ୍ରାମର ବସନ୍ତ କୁମାର ନାହାକ । ତା ନିକଟରୁ ମୋବାଇଲ୍, ଟଙ୍କା, ନକଲି ପୋଲିସ ଆଇକାର୍ଡ ସହ ଓଡ଼ିଶା ପୁଲିସ ଟି ସାର୍ଟ ଜବତ ହୋଇଛି ।
ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୯ ତାରିଖରେ ବୌଦ୍ଧ ଜିଲ୍ଲା ପୁରୁଣା କଟକ ଅଞ୍ଚଳର ଧିରେନ୍ ବେହେରା ବାଲି ବୋଝେଇ ପିକଅପ ଗାଡ଼ି ନେଇ ଯାଉଥିଲେ ଯାଉଥିବା ବେଳେ । ଖଜୁରୀପଡ଼ା ଥାନା ଗାଡିଆପଡ଼ା ଘାଟି ନିକଟରେ ବସନ୍ତ ନାହାକ ପିକ୍ ଅପ୍ ଗାଡ଼ିକୁ ଅଟକାଇଥିଲେ । ନିଜକୁ ପୁଲିସର ପରିଚୟ ଦେଇ ଅତି ଚତୁରତାର ସହ ଗାଡ଼ି ଯାଞ୍ଚ କରିଥିଲେ । ଧିରେନଙ୍କ ଠାରୁ, ମୋବାଇଲ ଫୋନ ସହ ୨୦,୦୦୦ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଖଜୁରୀପଡ଼ା ଥାନାରେ ଆସି ଧୀରେନ୍ ଲିଖିତ ଅଭିଯୋଗ କରିଥିଲେ । ସେବେଠାରୁ ଅଭିଯୁକ୍ତ ବସନ୍ତ ନାହାକ ଫେରାର ଥିଲା । ତେବେ ଆଜି ସେ କୋର୍ଟକୁ ଆସିଥିବାବେଳେ ପୁଲିସ ତାକୁ ଚତୁରତାର ସହିତ କାବୁ କରି ନେଇଥିଲା ।
ତେବେ ବସନ୍ତ ନାଁରେ ପୂର୍ବରୁ ମଧ୍ୟ ଏକାଧିକ ମାମଲା ରହିଛି । ୨୦୨୦ରେ ବ୍ରାହ୍ମଣୀଗାଁ ଥାନାରେ ବସନ୍ତ ପୁଲିସରେ ଚାକିରୀ କରୁଥିଲେ । ଫିରିଙ୍ଗିଆ ଥାନା ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ସେ ଗିରଫ ହୋଇ ଜେଲ ଯାଇଥିଲେ । ଏହା ପରେ ତାଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଥିଲା । ମାତ୍ର ଜେଲରୁ ବାହାରିବା ପରେ ସେ ନିଜ ହରକତରୁ ବାଦ ପଡ଼ି ନ ଥିଲା । ବିଭିନ୍ନ ସମୟରେ ନିଜକୁ ପୁଲିସ ପରିଚୟ ଦେଇ ଲୋକମାନଙ୍କୁ ଠକୁଥିଲେ । କନ୍ଧମାଳ ଜିଲ୍ଲା ସହ ନୟାଗଡ଼ ଓ ବୌଦ୍ଧ ଜିଲ୍ଲାରେ ମଧ୍ୟ ତା ନାଁରେ ଏକାଧିକ ମାମଲା ରହିଛି । ତେବେ ଆଜି ପୁଲିସ ତାକୁ ଧରିବାରେ ସଫଳ ହୋଇଛି ।