କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡ଼ି ହୋଇ ମୃତ୍ୟୁବରଣ କରିବା ମାମଲାରେ ପୋଲିସ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଚେନ୍ନାଇରୁ ଗିରଫ କରିଛି । ପୁଅ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଥିବାବେଳେ ଝିଅର ବାପା-ମାଆ ତାକୁ ପୋଡ଼ି ମାରିଦେଇଥିବା କହିଛନ୍ତି ପ୍ରମୋଦଙ୍କ ମାଆ ଶାନ୍ତିଲତା ବେହେରା ।
ପ୍ରମୋଦଙ୍କ ମାଆ ଶାନ୍ତିଲତା ବେହେରା ଶୁକ୍ରବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ତାଙ୍କ ପୁଅଙ୍କୁ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଛି । ପୁଅ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଅଟନ୍ତି । ପୁଅ ତିନି ମାସ ହେଲାଣି ଚେନ୍ନାଇରେ ଥିଲା । ପୁଅର ପ୍ରେମ ସମ୍ପର୍କରେ ସେ ଅବଗତ ଥିବା ସ୍ୱୀକାର କରିଛନ୍ତି । କିନ୍ତୁ ସେ ଝିଅ କିଏ ଥିଲା ଜାଣି ନ ଥିଲେ । ଯଦି ତାଙ୍କ ପୁଅ ସେ ଝିଅକୁ ହଇରାଣ କରୁଥିଲା ତାହା ହେଲେ କାହିଁକି ଝିଅର ବାପା-ମାଆ ତାଙ୍କୁ ଜଣାଇ ନ ଥିଲେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ଖାଲି ସେତିକି ନୁହେଁ ପ୍ରମୋଦଙ୍କ ମାଆ କହିଛନ୍ତି, ପୁଅ ନାଁରେ ଥାନାରେ ଅଭିଯୋଗ କରିଛନ୍ତି, କିନ୍ତୁ ଆମକୁ କିଛି ଜଣାଇ ନାହାଁନ୍ତି । ଏମିତି ପୋଲିସ ବି କେବେ ତାଙ୍କୁ ଏ ବାବଦରେ କିଛି ପଚରାଉଚରା କରି ନାହିଁ କିମ୍ବା ଡାକି ନାହିଁ । ତେବେ ଛାତ୍ରୀଙ୍କ ବାପା-ମାଆଙ୍କ ଉପରେ ହତ୍ୟାର ଅଭିଯୋଗ କରିଛନ୍ତି । କହିଛନ୍ତି, ବାପା-ମାଆ ହିଁ ତାକୁ ପୋଡ଼ି ମାରି ଦେଇଛନ୍ତି । କିନ୍ତୁ ତାଙ୍କ ପୁଅକୁ ଫସାଇ ଦେଉଛନ୍ତି ।
ବାପା ଗଣେଶ ବେହେରା ମଧ୍ୟ ସମାନ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ପୁଅର ପ୍ରେମ ସମ୍ପର୍କ ବିଷୟରେ କିଛି ଜାଣି ନ ଥିଲେ । ଝିଅର ବାପା ତାଙ୍କୁ ହତ୍ୟା କରିଛନ୍ତି ବୋଲି କହିଛନ୍ତି ପ୍ରମୋଦଙ୍କ ବାପା ଗଣେଶ୍ୱର ।
ଝିଅକୁ ଦିଆଯାଉଥିଲା ଚେଙ୍କ
ସେପଟେ ପ୍ରମୋଦଙ୍କ ଭଉଣୀ ସବିତା ସଙ୍ଗୀନ ଅଭିଯୋଗ ଆଣିଛନ୍ତି, ସେ କହିଛନ୍ତି ଦୁଇ ଜଣଙ୍କ ଭିତରେ ଦୀର୍ଘ ବର୍ଷ ହେଲାଣି ପ୍ରେମ ସମ୍ପର୍କ ଥିଲା । ସେମାନେ ପଳାଇ ଯିବାକୁ ଚାହୁଁଥିଲେ । ଝିଅର ବାପା-ମାଆ ତାକୁ ମାଡ଼ ମାରୁଥିଲେ । ଏପରିକି ତାକୁ ଚେଙ୍କ ଦେଇଥିଲେ । ଝିଅ ମରିବାର ଦୁଇ ଦିନ ପୂର୍ବରୁ ମଧ୍ୟ ନିସ୍ତୁକ ମାଡ଼ ମାରିଥିଲେ ବୋଲି କହିଛନ୍ତି ଭଉଣୀ ସବିତା ।
ଅନ୍ୟପକ୍ଷରେ ଛାତ୍ରୀଙ୍କ ମୃତ୍ୟୁର କାରଣ ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ । ସେ ଆତ୍ମଦାହ କରିଛନ୍ତି ନାଁ ତାଙ୍କୁ କିଏ ହତ୍ୟା କରିଛନ୍ତି ସେ ନେଇ କିଛି ପରଦା ଉଠିନାହିଁ । କାରଣ ମୃତ ଝିଅର ବାପା କହିଛନ୍ତି ଯେ ସେ କବାଟ ଭାଙ୍ଗି ଘର ଭିତରକୁ ଯାଇଥିଲେ । କିନ୍ତୁ କିଛି ପଡ଼ୋଶୀ ଏ ବିଷୟରେ ଜାଣି ନ ଥିବା କହିଛନ୍ତି । ଆଉ କେହି କେହି କହୁଛନ୍ତି ଝିଅର ହାତ ଗୋଡ଼ ଜିଆଇ ତାର ବନ୍ଧା ଯାଇଥିଲା । ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ଜନିତ ଘଟଣା ବୋଲି କେନ୍ଦ୍ରାପଡ଼ା ଏସପି ଗତକାଲି ପ୍ରତିକ୍ରିୟା ଦେଇଛନ୍ତି ।
ପୋଲିସ ଚେନ୍ନାଇରୁ ତେରୋହି ଗ୍ରାମର ଗଣେଶ୍ୱର ବେହେରାଙ୍କ ପୁଅ ପ୍ରମୋଦ ବେହେରା (୨୬)ଙ୍କୁ ଧରିଛି । ତାଙ୍କୁ କେନ୍ଦ୍ରାପଡ଼ା ପୋଲିସ ମୁଖ୍ୟାଳୟରେ ଜେରା କରାଯାଉଛି ।