ପାଟନା: ବହୁ ଚର୍ଚ୍ଚିତ ଗାନ୍ଧୀ ମଇଦାନ ବିସ୍ଫୋରଣ ମାମଲାରେ ପାଟନା ହାଇକୋର୍ଟ ଦୋଷୀଙ୍କ ଦଣ୍ଡ ବିଧାନକୁ କୋହଳ କରିଛନ୍ତି । ଏହି ଘଟଣାର ୪ ଜଣ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ବଦଳରେ ଆଜୀବନ କାରାଦଣ୍ଡର ଦଣ୍ଡିତ କରିଛନ୍ତି ଅଦାଲତ । ସେହି ଅଭିଯୁକ୍ତମାନେ ହେଲେ ହୈଦର ଅଲ୍ଲୀ, ମୁଜମୁଲ୍ଲାହ, ନୋମାନ ଏବଂ ଇମିତୟାଜ ଅସାଂରୀ ।
ଗାନ୍ଧୀ ମଇଦାନ ବିସ୍ଫୋରଣ ଘଟଣାରେ ନିମ୍ନ ଅଦାଲତ ୪ ଜଣ ଆସାମୀଙ୍କୁ ଫାଶୀ ଦଣ୍ଡ ଓ ୨ ଜଣଙ୍କୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଥିଲେ । ହୈଦର ଅଲ୍ଲୀ, ମୁଜମୁଲ୍ଲାହ, ନୋମାନ ଏବଂ ଇମତିଆଜଙ୍କ ମୃତ୍ୟୁ ଦଣ୍ଡ ଏବଂ ଅଜହର କୁରେସୀ ଓ ଉମରକୁ ଆଜୀବନ କାରାବାସ ହୋଇଥିଲା । ମାତ୍ର ପାଟନା ଉଚ୍ଚ ଅଦାଲତ ମାମଲାର ଶୁଣାଣୀ କରି ଏହି ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି । ୪ ଜଣଙ୍କୁ ଫାଶୀ ଦଣ୍ଡ ବଦଳରେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ସେହିପରି ଅଜହରଉଦ୍ଦୀନ ଓ ଉମର ଉପରେ ହୋଇଥିବା ଦଣ୍ଡାଦେଶକୁ କାଏମ ରଖିଛନ୍ତି ।
ସମ୍ପୂର୍ଣ୍ଣ ଘଟଣା ଓ ଦଣ୍ଡାଦେଶ
୨୦୧୩ ଅକ୍ଟୋବର ୨୭ ତାରିଖରେ ତତ୍କାଳୀନ ଗୁଜୁରାଟର ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲି ବିହାର ପାଟନାଠାରେ ଗାନ୍ଧୀ ମଇଦାନରେ ଆୟୋଜନ କରାଯାଇଥିଲା । ମୋଦିଙ୍କ ହୁଙ୍କାର ରାଲିରେ ହଜାର ସଂଖ୍ୟାରେ ସାଧାରଣ ଜନତା ଓ ବିଜେପିର ବହୁ ବରିଷ୍ଠ ନେତା ମଧ୍ୟ ଗାନ୍ଧୀ ମଇଦାନରେ ଉପସ୍ଥିତ ଥିଲେ । ବିସ୍ଫୋରଣ ବେଳେ ଗାନ୍ଧୀ ମଇଦାନରେ ତତ୍କାଳୀନ ବିଜେପି ଅଧ୍ୟକ୍ଷ ରାଜନାଥ ସିଂ, ବରିଷ୍ଠ ନେତା ନୀତିନ ଗଡକରୀ, ରବି ଶଙ୍କର ପ୍ରସାଦ, ଅରୁଣ ଜେଟଲୀଙ୍କ ସମେତ ବିହାର ବିଜେପିର ତୁଙ୍ଗ ନେତା ଉପସ୍ଥିତ ଥିଲେ । ପାଟନା ଜଙ୍କସନ ରେଳ ଷ୍ଟେସନରେ ପ୍ରଥମ ବିସ୍ଫୋରଣ ହୋଇଥିଲା । ଏହା ପରେ ଗୋଟିଏ ପରେ ଗୋଟାଏ ୭ଟି ସିରିଏଲ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ପ୍ରାୟ ୮୪ ଜଣ ଆହତ ହୋଇଥିଲେ ।
ଏନ୍ଆଇଏକୁ ତଦନ୍ତଭାର
ନଭେମ୍ବର ୬, ୨୦୧୩ରେ ମାମଲାର ତଦନ୍ତ ଭାର ଏନଆଇଏକୁ ଦିଆଯାଇଥିଲା । ୨୦୧୪ ଅଗଷ୍ଟ ୨୧ ତାରିଖରେ ମୋଟ ୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା ଏନଆଇଏ । ୧୧ ଜଣଙ୍କ ମଧ୍ୟରୁ ୧୦ ଜଣ ଇସଲାମିକ ମୁମେଣ୍ଟ ଅଫ ଇଣ୍ଡିଆର ଛାତ୍ର ରହିଥିଲେ । କିନ୍ତୁ ଜଣେ ଅଭିଯୁକ୍ତ ଦୋଷୀଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବାରୁ ତାକୁ ୩ ବର୍ଷ ପାଇଁ ସୁଧାର ଗୃହକୁ ପଠାଯାଇଥିଲା । ଏହି ସିରିଏଲ ଧମାକାରେ ଦଣ୍ଡିତ ହୋଇଥିବା ଦୋଷୀ ହେଲେ ଇମିତୟାଜ ଅସାଂରୀ, ହୈଦର ଅଲ୍ଲୀ, ନୱାଜ ଅସାଂରୀ, ମୁଜମୁଲ୍ଲାହ ଉମର ସିଦ୍ଦିକୀ, ଅଜହର କୁରେସୀ, ଅହମ୍ମଦ ହୁସେନ, ଫିରୋଜ ଅସଲମ, ଏଫତେଖର ଆଲାମ ।
୨୦୨୧, ନଭେମ୍ବର ୧ରେ ଏନ୍ଆଇଏର ସ୍ୱତନ୍ତ୍ର କୋର୍ଟ ମାମଲାରେ ଶୁଣାଣି କରି ଘଟଣାରେ ୯ ଦୋଷୀଙ୍କ ମଧ୍ୟରୁ ୪ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ । ସେହିପରି ୨ ଜଣଙ୍କୁ ଆଜୀବନ କାରା ଦଣ୍ଡାଦେଶ ହୋଇଥିବା ବେଳେ, ୨ ଜଣଙ୍କୁ ୧୦ ବର୍ଷ ଲେଖାଏଁ ସଶ୍ରମ ଦଣ୍ଡାଦେଶ ହୋଇଥିଲା । ଏହା ବାଦ ଜଣଙ୍କୁ ୭ ବର୍ଷ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ ।