କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଅଙ୍ଗlରଖ ଗାଁରେ ସଶସ୍ତ୍ର ଡକାୟତି ହୋଇଛି । ବୁଧବାର ରାତିରେ ପ୍ରଭାକର ପ୍ରଧାନଙ୍କ ଘରୁ ଲୁଟ୍ ହୋଇଛି । ଶ୍ଵଶୁର ଓ ବୋହୂଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିଛି । ପ୍ରାୟ ୬ରୁ ୭ ଜଣ ଡକାୟତ ଚୋରି କରିଥିବା ନେଇ ଆଳି ଥାନାରେ ଅଭିଯୋଗ ହୋଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅଙ୍ଗlରଖ ଗ୍ରାମର ପ୍ରଭାକର ପ୍ରଧାନଙ୍କ ଘର ଭିତରକୁ ଗତକାଲି ରାତି ପ୍ରାୟ 8ଟାବେଳେ କିଛି ଦୁର୍ବୃତ୍ତ ପଶିଥିଲେ । ଜୋର ଜବରଦସ୍ତ ପଶିବାକୁ ଉଦ୍ୟମ କରିବାରୁ ପ୍ରଭାକର ଓ ବୋହୂ ଅନୁସ୍ମିତା ଅଟକାଇଥିଲେ । ଫଳରେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଏହା ପରେ ବନ୍ଧୁକ ଦେଖାଇ ଘର ଭିତରକୁ ପଶିଥିଲେ । ପ୍ରଭାକରଙ୍କର ଦଶ ବର୍ଷର ନାତି ଓ ତାଙ୍କ ସ୍ତ୍ରୀ ବେକରେ ଭୁଜାଲି ଲଗାଇ ଧମକାଇଥିଲେ l ପ୍ରଭାକର ଗୁରୁତ୍ୱର ଅବସ୍ଥାରେ ତଳେ ପଡିଯାଇଥିଲେ । ସମସ୍ତଙ୍କୁ ଗୋଟିଏ ଘରେ ବନ୍ଦ କରି ଭୁଜାଲି ଓ ବନ୍ଧୁକ ଦେଖାଇ ରହିଥିଲେ ତିନିଜଣ ଲୁଟେରା । ଅନ୍ୟମାନେ ଘର ଭିତରେ ଆଲମାରି ଭାଙ୍ଗି ଲୁଟ ପାଟ କରିଥିଲେ । ପାଖାପାଖି ଅଧଘଣ୍ଟା କାଳ ଧରି ଚାଲିଥିଲା ଏହି ଘଟଣା l
ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଓ ପ୍ରାୟ 50 ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏ ନେଇ ଆଳି ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ଏଭଳି ସଶସ୍ତ୍ର ଡକାୟତି ପରେ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ଅନ୍ୟପକ୍ଷେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗାଁରେ ମଧ୍ୟ ସମାନ ଢଙ୍ଗରେ ଡକାୟତି ହୋଇଛି । ଡକାୟତମାନେ ଘର ଲୋକଙ୍କୁ ଆକ୍ରମଣ କରିବା ସହିତ ଘରୁ ଟଙ୍କା ସୁନା ଲୁଟିନେଇଛନ୍ତି । ପ୍ରାୟ ୬ ଜଣ ଦୁର୍ବୃତ ଏଭଳି କରିଥିବା ଜଣାପଡ଼ିଛି । ଗାଁର ମାଧବ ସେଠୀଙ୍କ ଘରୁ ଏହି ଚୋରି ହୋଇଛି । ଆକ୍ରମଣରେ ପରିବାରର ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏ ନେଇ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ ହୋଇଛି ।