ଖବର ଓଡ଼ିଶା: ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନା ପୁଲିସ ୬ ଜଣ ଲୁଟେରାଙ୍କୁ ଗିରଫ କରିଛି । ରାସ୍ତାରେ ଜଣେ ନାବାଳକଙ୍କୁ ମାଡ଼ ମାରି ଲୁଟ କରିବା ମାମଲାରେ ଏମାନଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଫୋନ୍, ବନ୍ଧୁକ ଓ ଛୁରୀ ଜବତ କରାଯାଇଛି ।
ପୁଲିସର ସୂଚନା ମୁତାବକ, ଜଣେ ନାବାଳକ ଗୁରୁବାର ରାତିରେ ହୀରାକୁଦ ଡ୍ୟାମ ପାର୍ଶ୍ୱରୁ ଡାଇକ୍ ରାସ୍ତାରେ ବାଇକରେ ଘରକୁ ଫେରୁଥିଲା । ଏହି ସମୟରେ ଜଣେ ଦୁର୍ବୃତ୍ତ ତାଙ୍କୁ ଲିଫ୍ଟ ମାଗିବା ବାହାନାରେ ରାସ୍ତାରେ ଅଟକାଇ ଥିଲେ । ନାବାଳକଟି କିଛି ନ ଜାଣି ପାରି ଗାଡ଼ିକୁ ଅଟକାଇ ଥିଲେ । ଏହା ପରେ ସେଠାରେ ଥିବା ଦୁର୍ବୃତ୍ତର ଅନ୍ୟ ସହଯୋଗୀମାନେ ନାବାଳକଟିକୁ ନିସ୍ତୁକ ମାଡ଼ ମାରିଥିଲେ । ଏହା ସହ ତାଙ୍କ ପାଖରୁ ଗୋଟିଏ ମୋବାଇଲ୍ ଫୋନ୍ ଓ ୬୫୦ ଟଙ୍କା ନେଇଯାଇଥିଲେ । ଏ ନେଇ ନାବାଳକର ପରିବାର ତରଫରୁ ହୀରାକୁଦ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପୁଲିସ ଏକ ମାମଲା ରୁଜୁ କରି ୬ ଜଣକୁ ଲୁଟେରାଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପ୍ରମୋଦ ବିଶ୍ୱାଳ, ରତ୍ନାକର ବିଶ୍ୱାଳ, ସୁଧୀର ପାଣ୍ଡେ, ବିକାଶ ବେହେରା, ଦୁଃଖିଶ୍ୟାମ ଗଡିଆ ଏବଂ ସଂଜୀବ ମୁଖୀ । ସେମାନଙ୍କ ପାଖରୁ ପୁଲିସ ଗୋଟିଏ ରିଭଲ୍ଭର୍, ଗୋଟିଏ ଏୟାର ଗନ, ୩ଟି ମୋବାଇଲ୍, ଗୋଟିଏ ଛୁରି ଓ ଲୁଟ ହୋଇଥିବା ଟଙ୍କା ଜବତ କରିଛି । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ପୁଲିସ ଗଣମାଧ୍ୟମକୁ ସୁଚନା ଦେଇଛି ।