କଟକ: ନାଚ ଗୀତର ତାଳରେ ଚାଲିଥିବା ଭସାଣି ଉତ୍ସବ ରକ୍ତ ରଞ୍ଜିତ ହୋଇଯାଇଛି । ଦୁଇ ଗୋଷ୍ଠୀର ବିବାଦରେ ହୋଇଛି ଛୁରାମାଡ଼ । ଫଳରେ ହସ ଖୁସିର ଭସାଣି ଯାତ୍ରା ଲୁହରେ ଭିଜିଛି । ଘଟଣା ଘଟିଛି କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅନ୍ତର୍ଗତ ଧୁରୁଷିଆ ଗ୍ରାମରେ । ଏଥିରେ ଜଣକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ୧୬ ବର୍ଷର ସୂର୍ଯ୍ୟକାନ୍ତ ସାମଲ । ଗୁରୁତର ଜଣଙ୍କର ଏସସିବି ମେଡ଼ିକାଲରେ ଚିକିତ୍ସା ଚାଲିଛି ।
ଗତକାଲିରେ ରାତିରେ ଖୁଣ୍ଟୁଣି ଥାନା ଅନ୍ତର୍ଗତ ଧୁରୁଷିଆ ଗ୍ରାମରେ ହରିଜନ ସାହି ଓ ଗୋପାଳ ସାହିର ଗଣେଶ ମେଢ଼ ଭସାଣି ଉତ୍ସବ ଚାଲିଥିଲା । ସମସ୍ତେ ନାଚ ଗୀତକୁ ବେଶ୍ ଉପଭୋଗ କରୁଥିଲେ । ଏହି ସମୟରେ କିଏ ଆଗରେ ଯିବ ସେ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଏହି ଯୁକ୍ତିତର୍କ ଧିରେ ଧିରେ ହାତାହାତି ଓ ପରେ ରକ୍ତପାତରେ ପରିଣତ ହୋଇଥିଲା । ଗୋଟିଏ ଗୋଷ୍ଠୀର ଜଣେ ଯୁବକ ଆସି ଅନ୍ୟ ଏକ ଗୋଷ୍ଠୀର ସଦସ୍ୟ ଉପରେ ଛୁରୀରେ ଆକ୍ରମଣ କରିଥିଲେ । ଫଳରେ ୨ ଜଣ ଗୁରୁତର ହୋଇ ପଡ଼ିଥିଲେ । ମାରପିଟର ମଧ୍ୟ ୨ ଜଣ ଆହତ ହୋଇଥିଲେ । ଦୁଇ ଗୁରୁତରକୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ଅନ୍ୟ ଜଣେ ଏବେବି ଚିକିତ୍ସାଧୀନ ଅଛନ୍ତି । ୧୬ ବର୍ଷର ସୂର୍ଯ୍ୟକାନ୍ତ ସାମଲଙ୍କର ମୃତ୍ୟୁ ହୋଇଛି । ସେହିପରି ଆହତ ଦୁଇ ଜଣ ଯୁବକ ଚିକିତ୍ସା ପରେ ଘରକୁ ଫେରିଛନ୍ତି ।
ଏ ନେଇ ଖୁଣ୍ଟୁଣି ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଁଚି ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି । ଗ୍ରାମରେ ଏବେବି ଚାପା ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ ରହିଛନ୍ତି । ଅଭିଯୁକ୍ତକୁ ଗିରଫ କରିବା ଦାବିରେ ପରିବାର ଲୋକ ଧାରଣା ଦେଇଛନ୍ତି ।