ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଦେଓଗାଁ ରୋଡ୍ ରେଳଷ୍ଟେସନ ନିକଟ ରେଳଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି । ଆରପିଏଫ ଓ ଜିଆରପି ପହଞ୍ଚି ମୃତଦେହ ଜବତ କରିଛନ୍ତି । ଯୁବକଙ୍କ ପରିଚୟ ମିଳିପାରି ନାହିଁ ।
ଦେଓଗାଁ ରେଳଷ୍ଟେସନ ନିକଟ ରେଳଧାରଣାରେ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ପଡ଼ିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ଏ ନେଇ ଜିଆର୍ପି ଓ ଦେଓଗାଁ ଥାନାକୁ ଖବର ଦେଇଥିଲେ । ଜିଆରପି ପୁଲିସ ପହଁଚି ମୃତ ଦେହକୁ ଜବତ କରିଛି । ରେଳ ଧାରଣା ନିକଟରେ ରକ୍ତ ଛିଟା ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି । ମୃତ ଦେହ କେଉଁଠୁ ଆସିଲା ? କିଏ ପକାଇଛି ? ସେଇ ନେଇ କିଛି ଜଣା ପଡ଼ି ନାହିଁ । ପ୍ରଥମେ ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବାବେଳେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏକ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି । ତେବେ ପୁଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ତଦନ୍ତ ଆରମ୍ଭ କରିଛି ।