ଖବର ଓଡ଼ିଶା: କଟକ କମିଶନରେଟ ପୁଲିସକୁ ଆଜି ବଡ଼ ସଫଳତା ମିଳିଛି । କିଛି ଦିନ ହେବ ସହରରେ ଆତଙ୍କ ଖେଳାଇଥିବା ଲୁଟେରା ଗ୍ୟାଙ୍ଗକୁ କମିଶନରେଟ ପୋଲିସ ବାନ୍ଧିଛି । ଅଭିଯୁକ୍ତଙ୍କଠାରୁ ତିନି ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା, ମୋବାଇଲ ଫୋନ ଓ ଲୁହା ରଡ ଜବତ କରିଛି ପୋଲିସ । ଗିରଫ ପାଞ୍ଚ ଜଣିଆ ଲୁଟେରା ଗ୍ୟାଙ୍ଗ କଟକରେ ହୋଇଥିବା ଦୁଇଟି ଲୁଟ ଘଟଣାରେ ସଂପୃକ୍ତ ଅଛନ୍ତି । ଘରୁ ଝରକା ତାଡି ଏମାନେ ଲୁଟ କରୁଥିଲେ । ମାଲଗୋଦାମ ଥାନା ପୁଲିସ ତିନି ଜଣ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ଜଗତପୁର ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ଅତିରିକ୍ତ ଡିସିପି ଅନୀଲ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଗତ ୧୯ ତାରିଖ ଶିଖରପୁର ଉପର ସାହିର ଜଣେ ବ୍ୟକ୍ତି ଘରେ ନଥିବା ବେଳେ ତାଙ୍କ ଝରକା ତାଡି କେହି ଲୁଟ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ମାଲଗୋଦାମ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତେବେ ସେହି ଶିଖରପୁର ଅଞ୍ଚଳର ତିନିଜଣ ଯୁବକ ଏହି ଲୁଟରେ ସଂପୃକ୍ତ ଥିବା ଜାଣିବାକୁ ପାଇଥିଲା । ପରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ମାଲଗୋଦାମ ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ତିନି ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଚାରୋଟି ମୋବାଇଲ ଫୋନ ଆଉ ଲୁଟରେ ବ୍ୟବହୃତ ରଡ୍ କୁ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ଅତିରିକ୍ତ ଡିସିପି ଅନୀଲ ମିଶ୍ର । ତେବେ ଗିରଫ ଅଭିଯୁକ୍ତଙ୍କର ପରିଚୟ ହସ୍ତଗତ ହୋଇ ପାରି ନାହିଁ ।
ସେହି ଭଳି ଜଗତପୁର ଗୋଲେଇ ଛକରୁ ମଧ୍ୟ ଜଣଙ୍କ ଘରୁ ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଜଗତପୁର ଥାନା ପୋଲିସ ତଦନ୍ତ କରିବା ସହ ସିସିଟିଭି ଫୁଟେଜ ଆଧାରରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଲେ କେନ୍ଦ୍ରାପଡାର କୌଳାଶ ଚନ୍ଦ୍ର ସ୍ୱାଇଁ ଓ ଜଗତପୁର ପିର ବଜାରର ମହମ୍ମଦ ରହିମ । ଗିରଫ ଦୁଇ ଅଭିଯୁକ୍ତଙ୍କଠାରୁ ପୋଲିସ ନଗଦ ଟଙ୍କା ସହ ପାଞ୍ଚ ଟି ମୋବାଇଲ ଜବତ କରିଛି । ସମସ୍ତ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମାମଲା ରହିଥିବା ବେଳେ ଆବଶ୍ୟକ ପଡିଲେ ତିନିଜଣଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ ସୂଚନା ଦେଇଛି ।