ଭୁବନେଶ୍ୱର: ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ଗତ କାଲି ବ୍ରହ୍ମପୁରର ବରିଷ୍ଠ ଆଇନଜୀଵୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଘଟଣାରେ ସଂପୃକ୍ତ ଅପରାଧୀମାନଙ୍କୁ ଖୋଜି ବାହାର କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ପୋଲିସ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ । ଏଭଳି ଜଘନ୍ୟ ଓ ଅମାନୁଷିକ ଘଟଣାକୁ କୌଣସି ପରିସ୍ଥିତି ରେ ମଧ୍ୟ ବରଦାସ୍ତ କରାଯିବ ନାହିଁ । ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପଣ୍ଡାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।
ଅନ୍ୟପକ୍ଷରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଧ୍ୟ ସମାନ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ ପୀତବାସଙ୍କ ଅନ୍ତେଷ୍ଟି କ୍ରିୟାରେ ସାମିଲ ହୋଇଛନ୍ତି । ମନ୍ତ୍ରୀ ବିଭୂତି ଜେନା ନିଜେ ପାର୍ଥିବ ଶରୀର ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ସହିତ ଦୋଷୀଙ୍କ ବିରୁଦ୍ଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ପ୍ରକାଶ ଯୋଗ୍ୟ, ସୋମବାର ରାତି ପ୍ରାୟ ୧୦ଟାରେ ପୀତବାସଙ୍କୁ ଘର ନିକଟ ବୈକୁଣ୍ଠନଗର ଗୁଳି କରି ହତ୍ୟା କରାଯାଇଥିଲା । ପ୍ରଥମେ ଅଟକାଇ ବଚସା କରିବା ପରେ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ସ୍ଥାନୀୟ ଲୋକେ ପୀତବାସଙ୍କୁ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପୀତବାସଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଦୁଇ ଅପରାଧୀ ବର୍ତ୍ତମାନ ଫେରାର ଅଛନ୍ତି । ଗଞ୍ଜାମ ଏସପି ନିଜେ ଏହି ମାମଲାର ତଦାରଖ କରୁଛନ୍ତି ।