ବଲାଙ୍ଗିର: ଥାନାରେ କାର୍ଯ୍ୟରତ କନେଷ୍ଟବଳଙ୍କୁ ମରଣାନ୍ତକ ଆକ୍ରମଣ କରି ଅଭିଯୁକ୍ତ ଫେରାର । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନାରେ କାର୍ଯ୍ୟରତ କନେଷ୍ଟବଳଙ୍କୁ ହୋଇଛି ଆକ୍ରମଣ । ଗୁରୁତର କନେଷ୍ଟବଳ ହେଲେ ସୁଦାମ ନାଗ । ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ଗତକାଲି ରାତିରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ମୁରିବାହାଲ ଥାନା ପୁଲିସ । ନାବାଳିକାକୁ ଉଦ୍ଧାର କରି ଅଭିଯୁକ୍ତକୁ ଥାନାକୁ ଆଣୁଥିବା ବେଳେ ଅଭିଯୁକ୍ତ ଫେରାର ହେବାକୁ ଉଦ୍ୟମ କରିଥିଲା । କନେଷ୍ଟବଳ ସୁଦାମ ନାଗ ତାକୁ ଅଟକାଇବାକୁ ଚେଷ୍ଟା କରିବାରୁ ଅଭିଯୁକ୍ତ ପୁଲିସ ଲାଠି ଛଡ଼ାଇ ତାଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣରେ ତାଙ୍କର ମୁଣ୍ଡ ଓ ଆଖିରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ତାଙ୍କୁ ପ୍ରଥମେ ସ୍ଥାନୀୟ ଡ଼ାକ୍ତରଖାନା ଭର୍ତ୍ତି କରାଯାଇଥିଲା । ପରେ ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କନେଷ୍ଟବଳ ଏବେବି ଚିକିତ୍ସାଧୀନ ଅଛନ୍ତି । ଅପରପକ୍ଷେ ଫେରାର ମାରିଥିବା ଅଭିଯୁକ୍ତ ଏଯାଏଁ ଧରା ପଡ଼ିନାହିଁ । ପୁଲିସ ତାକୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାନଭିନ କରୁଛି ।