ଖବର ଓଡ଼ିଶା: ପୁରୀ ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ପିପିଲି ହାଟ ଛକର ସେକ ଅବଦୁଲ ଅମିର । ତେବେ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଗତ ଶୁକ୍ରବାର ଦିନ ସେକ ଅବଦୁଲ ଅମିରଙ୍କୁ ପୁରୀ ପୋଲିସ ପିପିଲି ପୋଲିସ ସହାୟତାରେ ବ୍ରାଉନ ସୁଗାର ବେପାର ଅଭିଯୋଗରେ ଗିରଫ କରିଥିଲା । ଗିରଫ ପରେ ତାକୁ କୋର୍ଟ ଚାଲାଣ କରାଯାଇଥିଲ। ସେ ପୁରୀ-କୋଣାର୍କ ରୋଡ ସ୍ଥିତ ବାଙ୍ଗର ଜେଲରେ ଥିଲେ । ଜେଲରେ ଥିବା ବେଳେ ହଠାତ ତାଙ୍କର ମୃତ୍ୟୁ ହୋଇଛି । ହଠାତ ସେ ମୃତ୍ୟୁବରଣ କରିଥିବା ପରିବାର ଲୋକେ ଖବର ପାଇ ପୁରୀ ହସ୍ପିଟାଲରେ ପହଞ୍ଚିଛନ୍ତି । ତାଙ୍କ ହାତରେ ଦାଗ ଓ ପାଟିରୁ ରକ୍ତ ବାହାରୁଥିବାରୁ ତାଙ୍କୁ ପିଟି ପିଟି ମାରି ଦିଆଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।
ପରିବାର ଲୋକଙ୍କ କହିବା ମୁତାବକ, ଗିରଫ ସମୟରେ ଅବଦୁଲ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ପୋଲିସ ତାଙ୍କୁ ବଳପୂର୍ବକ ଗିରଫ କରିବା ସହ ଘରୁ ସମସ୍ତ ଟଙ୍କା ନେଇଯାଇଥିବା ମଧ୍ୟ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏଭଳିକି ପୁରୀ ଜେଲରୁ ସେକ ଅବଦୁଲ ଅମିର ସଦର ମୁଖ୍ୟ ଚିକିତ୍ସାଳୟ ଅଣାଯିବା ସମୟରେ କିମ୍ବା ତା ପରେ ମଧ୍ୟ ପରିବାର ଲୋକଙ୍କୁ ଖବର ଦିଆଯାଇନଥିଲା ବୋଲି କହିଛନ୍ତି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ପରିବାର ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି ।