ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢ଼ାରଜା ଠାରେ ନିକଟରେ ଘଟିଥିବା ବହୁଚର୍ଚ୍ଚିତ ମଣପୁରମ୍ ଗୋଲ୍ଡ ଲୋନ ସଂସ୍ଥାରୁ ହୋଇଥିବା ସୁନା ଗହଣା ଡକାୟତି ଘଟଣାରେ ପୋଲିସକୁ ସଫଳତା ମିଳିଛି । ଡକାୟତି ଘଟଣାର ୧୩ ଦିନ ପରେ ଅଇଁଠାପାଲି ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ପଙ୍କଜ ପାଶୱାନ (୨୬) ଏବଂ ଅଜୟ ପାଶୱାନ । ଉଭୟ ବିହାର ହାଜିପୁରର ବୋଲି ଜଣାପଡ଼ିଛି । ପଙ୍କଜ ପାଶୱାନକୁ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ଏବଂ ତାର ସମ୍ପର୍କୀୟ ଭାଇ ଅଜୟ ପାଶୱାନକୁ ସମ୍ବଲପୁର ଠେଲକୁଲି ଅଞ୍ଚଳରୁ ଗିରଫ କରାଯାଇଥିବା ନେଇ ଏସ୍ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ଏହି ଗ୍ୟାଙ୍ଗ୍ର ମୁଖ୍ୟ ଉତ୍ତମ ଓ ସଞ୍ଜୟ ସହିତ ୬ ଜଣ ଫେରାର ଅଛନ୍ତି ।
ଏହି ଗ୍ୟାଙ୍ଗ୍ ମଣପୁରମରୁ ଲୁଟ୍ କରିବାକୁ ଦେଢ଼ ମାସ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ । ପଙ୍କଜ, ଅଜୟ, ଉତ୍ତମ ଏବଂ ସଞ୍ଜୟ ଠେଲକୁଲି ଅଞ୍ଚଳରେ ରହୁଥିଲେ । ଏହା ପରେ ଯୋଜନାକୁ ରୂପ ଦେଇଥିଲେ । ମଣପୁରମ୍ ଡକାୟତିରେ ବିହାରର କୁଖ୍ୟାତ ଅପରାଧୀ ସୁବୋଧ ସିଂ ଏବଂ ପଲୁ ସିଂ ଗ୍ୟାଙ୍ଗ୍ର ସଂପୃକ୍ତି ରହିଥିବା ଜଣାପଡ଼ିଛି । ତେବେ ଯାଜପୁର ଡକାୟତିରେ ଏମାନଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତି ନାହିଁ । କିନ୍ତୁ ସେମାନଙ୍କ ମୁଖ୍ୟ ସହଯୋଗୀ ସୁବୋଧ ସିଂର ଗ୍ୟାଙ୍ଗ୍ ସାମିଲ ରହିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ଏକାଧିକ ଡକାୟତି ମାମଲାରେ ସମ୍ପୃକ୍ତ ଅଛନ୍ତି । ଏମାନେ ସବୁବେଳେ ବଡ଼ ବଡ଼ ଡକାୟତି କରି ଥାଆନ୍ତି । ଉତ୍ତମ ଏବଂ ସଞ୍ଜୟ ନାମରେ ପୂର୍ବରୁ ବିହାର ହାଜିପୁରରେ ୧ କୋଟି ଟଙ୍କା ଓ ସୁନା ଲୁଟର ମାମଲା ରହିଛି ।
ସୂଚନା ଯୋଗ୍ୟ, ଗତ ଜାନୁୟାରୀ ୩ ତାରିଖରେ ସ୍ପଷ୍ଟ ଦିବାଲୋକରେ ବୁଢ଼ାରଜା ମଣପୁରମ ଗୋଲ୍ଡ ଲୋନ ନାମକ ଏକ ଅର୍ଥଲଗାଣକାରୀ ସଂସ୍ଥାରୁ ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ଏକ ବ୍ୟାଗ ଭର୍ତ୍ତି ସୁନା ଗହଣା ଲୁଟି ନେଇଥିଲେ । ୨୮ କେଜି ସୁନା ସହିତ ନଗଦ ୪.୮୧ ଲକ୍ଷ ଟଙ୍କା ଲୁଟି ନେଇଥିଲେ ।