ଇନ୍ଦୋର: ପ୍ରେମ, ଲିଭ୍ ଇନ୍ ରିଲେସନ୍, ପ୍ରତାରଣା ଆଉ ତା ପରେ ଫ୍ରିଜରେ ଖଣ୍ଡ ବିଖଣ୍ଡିତ ଶବ । ଏଭଳି ଜଘନ୍ୟ ଅପରାଧ ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି । ହତ୍ୟା ପରେ ହତ୍ୟାକାରୀମାନେ ଫ୍ରିଜକୁ ସୁରକ୍ଷିତ ସ୍ଥାନ ଭାବୁଛନ୍ତି । ପ୍ରଥମେ ଦିଲ୍ଲୀ ପରେ ବେଙ୍ଗାଲୁରୁ ଏବେ ମଧ୍ୟ ପ୍ରଦେଶ ଇନ୍ଦୋରରୁ ଆସିଛି ସମାନ ଧରଣର ଖବର । ଲିଭ୍ ଇନ୍ ରିଲେସନରେ ରହିବା ପରେ ପ୍ରେମିକାକୁ ହତ୍ୟା କରି ଫ୍ରିଜ ରଖିଲା ପ୍ରେମିକ । ଦିନେ କି ଦୁଇ ଦିନ ନୁହେଁ ୧୦ ମାସ ପରେ ଫ୍ରିଜରୁ ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତ ପ୍ରେମିକା ଜଣକ ହେଲେ ପ୍ରତିଭା ପ୍ରଜାପତି (ପିଙ୍କି) । ଅଭିଯୁକ୍ତ ଜଣକ ହେଲା ଉଜ୍ଜୈନ ଜିଲ୍ଲା ଇଗୋରିୟା ଥାନା ମୋଲାନା ଗ୍ରାମର ସଞ୍ଜୟ ପାଟୀଦାର ଏବଂ ତାର ସହଯୋଗୀ ବିନୋଦ ଦାବେ । ଏ ନେଇ ସୂଚନା ଦେଇଛନ୍ତି ଏସପି ପୁନୀତ ଗେହଲଟ୍ ।
ପ୍ରତିଭା ଏବଂ ସଞ୍ଜୟ ପାଟୀଦାର ଉଭୟ ପରସ୍ପରକୁ ୫ ହେଲାଣି ପ୍ରେମ କରୁଥିଲେ । ୨୦୨୩ରୁ ଉଭୟ ଇନ୍ଦୋର ଦେବାସ ଅଞ୍ଚଳରେ ଧିରେନ ଶ୍ରୀବାସ୍ତବଙ୍କ ଘରେ ଲିଭ୍ ଇଲ୍ ରିଲେସନସିପରେ ରହୁଥିଲେ । ପ୍ରତିଭା ବିବାହ ପାଇଁ ସଞ୍ଜୟଙ୍କ ଉପରେ ବାରମ୍ବାର ଚାପ ପକାଉଥିଲେ । ମାତ୍ର ସଞ୍ଜୟ ରାଜି ହେଉ ନ ଥିଲେ । ତେଣୁ ପ୍ରତିଭାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଷଡ଼ଯନ୍ତ୍ର ରଚିଥିଲା ସଞ୍ଜୟ । ଆଉ ବାଛି ନେଇ ଥିଲା ଫ୍ରିଜ୍ ଫଣ୍ଡା ।
ମାର୍ଚ୍ଚରେ ହୋଇଥିଲା ହତ୍ୟା, ଜାନୁୟାରୀରେ ମିଳିନା ମୃତ ଦେହ
ଗତ ବର୍ଷ ମାର୍ଚ୍ଚ ମାସରେ ସଞ୍ଜୟ ଓ ପ୍ରତିଭାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହା ପରେ ସଞ୍ଜୟ ପ୍ରେମିକା ପ୍ରତିଭାର ଗଳା ଚିପି ହତ୍ୟା କରିଥିଲା । ମୃତ ଦେହକୁ ରଖିବାକୁ ଫ୍ରିଜକୁ ବାଛିଥିଲା ସୁରକ୍ଷିତ ସ୍ଥାନ । ଫ୍ରିଜକୁ ପୁରା କମ୍ ତାପମାତ୍ରାରେ ସେଟ୍ କରି ମୃତ ଦେହ ରଖି ଫେରାର ହୋଇଯାଇଥିଲା ।
ମାଲିକ ଧିରେନ୍ଦ୍ର ଶ୍ରୀବାସ୍ତବ ତାଙ୍କୁ ବାରମ୍ବାର ଘର ଛାଡ଼ିବାକୁ କହିଥିଲେ । ମାତ୍ର ସେ କିଛି ନା କିଛି ବାହାନା ଦେଖାଇ ଟାଳି ଦେଉଥିଲେ । ମାତ୍ର ଘର ମାଲିକ ବଲବୀର ସିଂହ ନାମକ ଭଡ଼ାଟିଆ ଘର ଦେଇଥିଲେ । ବେଡ୍ ରୁମକୁ ସଞ୍ଜୟ ଲକ୍ କରି ରଖିଥିବାରୁ ବଲବୀରଙ୍କୁ ତାଲା ଭାଙ୍ଗିବାକୁ ଘର ମାଲିକ ଅନୁମତି ଦେଇଥିଲେ । ଘର ଖୋଲିବା ବେଳକୁ ଫ୍ରିଜ୍ ଅନ୍ ଥିଲା । ବଲବୀର ସଞ୍ଜୟଙ୍କର ସମସ୍ତ ଜିନିଷ ପତ୍ରକୁ ଗୋଟେ ପାର୍ଶ୍ୱରେ ରଖିଥିଲେ । ଫ୍ରିଜର ସୁଇଚ୍ ବନ୍ଦ କରି ବାହାରେ ରଖିଥିଲେ ।
ମାତ୍ର ଫ୍ରିଜରୁ କିଛି ଦିନ ପରେ ଦୁର୍ଗନ୍ଧ ବାହାରିବା ପରେ ବଲବୀରଙ୍କର ସନ୍ଦେହ ହୋଇଥିଲା । ସେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘରେ ପହଁଚି ଫ୍ରିଜ ଖୋଲିବା ପରେ ସେଥିରୁ ଗଳିତ ମୃତ ଦେହ ମିଳିଥିଲା । ଏହା ପରେ ସମ୍ପୂର୍ଣ୍ଣ ଘଟଣା ପଦାକୁ ଆସିଥିଲା । ପୋଲିସ ତୁରନ୍ତ ସଞ୍ଜୟକୁ ଗିରଫ କରିବା ସହିତ ତାର ସହଯୋଗୀ ବିନୋଦ ଦାବେ ମଧ୍ୟ ଏଥିରେ ସମ୍ପୃକ୍ତ ଥିବା ଜଣାପଡ଼ିଛି । ଯିଏକି ରାଜସ୍ଥାନର ଟୋଙ୍କ ଜିଲ୍ଲାର ଏକ ହତ୍ୟାକାଣ୍ଡ ଅଭିଯୋଗରେ ବର୍ତ୍ତମାନ ଜେଲରେ ଅଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଦିଲ୍ଲୀ ଓ ବେଙ୍ଗାଲୁରୁରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ଦିଲ୍ଲୀରେ ଲିଭ୍ ଇନରେ ରହୁଥିବା ଶ୍ରଦ୍ଧାକୁ ତାର ପ୍ରେମିକ ହତ୍ୟା କରିବା ପରେ ଖଣ୍ଡ ବିଖଣ୍ଡିତ ମୃତ ଦେହକୁ ଫ୍ରିଜରେ ରଖିଥିଲା । ବେଙ୍ଗାଲୁରୁରେ ମହାଲକ୍ଷ୍ମୀଙ୍କୁ ତାଙ୍କର ଜଣେ ପୁରୁଷ ବନ୍ଧୁ ହତ୍ୟା କରିବା ପରେ ଫ୍ରିଜରେ ରଖିଥିଲା ।