ଲକ୍ଷ୍ନୌ: ପୁଣି ଲିଫ୍ଟ ହୋଇଛି କାଳ । ଲିଫ୍ଟରେ ଫସି ଜଣେ 16 ବର୍ଷୀୟ ନାବାଳକର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉତ୍ତର ପ୍ରଦେଶ ରାୟବରେଲି ରୋଡର ବୃନ୍ଦାବନ କଲୋନିର ସେକ୍ଟର-୫ ନିବାସୀ ଶୈଳେନ୍ଦ୍ର ରାଜବଂଶୀଙ୍କ ପୁଅ ଶରଦ ରାଜବଂଶୀ । ତେବେ ଜାଣିଶୁଣି ଆପାର୍ଟମେଣ୍ଟର କର୍ମଚାରୀ ଘଟଣାକୁ ଚପାଇ ଦେବାକୁ ଚାହୁଁଥିଲେ ବୋଲି ପରିବାର ଅଭିଯୋଗ ଆଣିଛି । ଏ ନେଇ ପୋଲିସ ତଦନ୍ତ କରୁଛି ।
ରାୟବରେଲି ରୋଡର ବୃନ୍ଦାବନ କଲୋନିର ସେକ୍ଟର-୫ ନିବାସୀ ଶୈଳେନ୍ଦ୍ର ରାଜବଂଶୀ ଟ୍ରାନ୍ସପୋର୍ଟ ନଗର ଅଶୋକ ଲେଲ୍ୟାଣ୍ଡ ବିଲଡିଂରେ ଝାଡ଼ୁଦାର ଭାବରେ କାମ କରନ୍ତି । ଶୁକ୍ରବାର ଟ୍ରାନ୍ସପୋର୍ଟ ନଗର ପାର୍କିଂ ନମ୍ବର 9 ନିକଟରେ ଥିବା ଏକ କୋଠାର ଲିଫ୍ଟରେ ଶରଦ ରାଜବଂଶୀ ଫସି ଯାଇଥିଲେ । ଏ ନେଇ ଲିଫ୍ଟ ଷ୍ଟାଫ୍ ଜାଣିବା ପରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଘଟଣା ସ୍ଥଳରେ ପହଁଚି କ୍ରେନ୍ ସାହାଯ୍ୟରେ ପିଲାଟିକୁ ଲିଫ୍ଟରୁ ବାହାର କରିଥିଲେ । ତୁରନ୍ତ ତାକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା, ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ପୁଅର ମୃତ୍ୟୁ ପରେ ପରିବାର ଲୋକ ଆପାର୍ଟମେଣ୍ଟ କର୍ମଚାରୀଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ପିଲାଟିର ମୃତ୍ୟୁ ପାଇଁ କର୍ମଚାରୀଙ୍କ ଉପରେ ପ୍ରଶ୍ନ ଉଠିଛି । ଘଟଣା ବିଷୟରେ ରିପୋର୍ଟ କରିବା ପରିବର୍ତ୍ତେ, କର୍ମଚାରୀମାନେ ଏହାକୁ ଚାପି ଦେବାକୁ ଉଦ୍ୟମ କରିଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯାହା ପରେ ସ୍ଥାନୀୟ ଲୋକେ ହଙ୍ଗାମା କରିଛନ୍ତି । ପିଲାଟି କେମିତି ଏବଂ କେଉଁ ପରିସ୍ଥିତିରେ ଲିଫ୍ଟରେ ଫସିଗଲା ସେ ନେଇ ପୋଲିସ ତଦନ୍ତ କରୁଛି ।