ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଜ୍ବେଲର ପିତା-ପୁତ୍ର ଜଣେ ଆମରିକୀୟ ମହିଳାଙ୍କୁ ୩୦୦ ଟଙ୍କିଆ କୃତ୍ରିମ ଜ୍ବେଲରିକୁ ୬ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ପୁଲିସ ଅନୁସାରେ ଆମେରିକୀୟ ନାଗରିକ ଚେରିସ ନର୍ଟେଜ୍ ପାଖାପାଖି ୨ ବର୍ଷ ପୂର୍ବରୁ ସହରର ଗୋପାଲଜୀ ରାସ୍ତାରେ ଥିବା ଏକ ଦୋକାନରୁ ଜ୍ବେଲେରି କିଣିଥିଲେ। ଏଥି ପାଇଁ ସେ ୬ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ବିକ୍ରି ସମୟରେ ମହିଳାଙ୍କୁ ହଲମାର୍କ ପ୍ରମାଣପତ୍ର ମଧ୍ୟ ଦିଆଯାଇଥିଲା।
ଗହଣା କିଣିବା ପରେ ଚେରିସ ଆମେରିକା ଯାଇଥିଲେ। ସେ ସେଠାରେ ଏକ ପ୍ରଦର୍ଶନୀରେ ତାଙ୍କର ଗହଣାକୁ ପ୍ରଦର୍ଶିତ କରିଥିଲେ। ସେଠାରେ ଜଣାପଡ଼ିଲା ଯେ, ଗହଣା ନକଲି। ଏହା ପରେ ସେ ଜୟପୁର ଫେରି ଆସିଥିଲେ ଏବଂ ଜ୍ବେଲେରି ଦୋକାନ ରାମା ରେଡିୟମକୁ ଯାଇଥିଲେ। ଦୋକାନର ମାଲିକ ଗୌରବ ସୋନୀଙ୍କୁ ନକଲି ଅଳଙ୍କାର ନେଇ ଅଭିଯୋଗ କରିଥିଲେ। ସେ ଗହଣାର ଶୁଦ୍ଧତା ପରଖିବା ପାଇଁ ମଧ୍ୟ ଅନ୍ୟ ଦୋକାନକୁ ଯାଇଥିଲେ। ଅନ୍ୟ ଦୋକାନରେ ମଧ୍ୟ ଏହା ନକଲି ଜଣାପଡ଼ିଥିଲା। ଏହା ପରେ ଚେରିସ ଏସଂପର୍କରେ ଆମେରିକୀୟ ଦୂତାବାସଙ୍କୁ ସୂଚନା ଦେଇଥିଲେ।
ଗତ ୧୮ ତାରିଖ ଦିନ ଜ୍ବେଲର ରାଜେନ୍ଦ୍ର ସୋନୀ ଓ ତାଙ୍କର ପୁଅ ଗୌରବ ସୋନୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମାମଲା ସଂପର୍କରେ ଜୟପୁର ପୁଲିସର ଡିସିପି ବଜରଂଗ ସିଂହ ଶେଖାୱତ କହିଛନ୍ତି, ପୁଲିସ ଅଳଙ୍କାର ଯାଞ୍ଚ ପାଇଁ ପଠାଇଥିଲା। ଏଥିରେ ଜଣାପଡ଼ିଲା ଯେ, ଗହଣାରେ ହୀରା ଚନ୍ଦ୍ରମଣୀ ଥିଲା। ଅଳଙ୍କାରରେ ସୋନାର ମାତ୍ରା ୧୪ କ୍ୟାରେଟ ହେବାର ଥିଲା। କିନ୍ତୁ ଏହା ମଧ୍ୟ ୨ କ୍ୟାରେଟର ଥିଲା। ଅଭିଯୁକ୍ତ ଜ୍ବେଲର ମଧ୍ୟ ଅଭିଯୋଗ କରିଥିଲେ ଯେ, ମହିଳା ଜଣକ ତାଙ୍କର ଗହଣା ନେଇ ଫେରାର ହୋଇଯାଇଥିଲେ। କିନ୍ତୁ ସିସିଟିଭି ଫୁଟେଜ ଯେତେବେଳେ ଯାଞ୍ଚ କରାଗଲା, ଏହା ମିଛ ପ୍ରମାଣିତ ହୋଇଥିଲା।