ଖବର ଓଡିଶା : 26/05/2023
ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଭୁବନେଶ୍ବରରେ ଦଲାଲି କରୁଥିବା ପଶ୍ଚିମବଙ୍ଗର ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏହି ୨ ଅଭିଯୁକ୍ତ ଖଣ୍ଡଗିରି ଅଞ୍ଚଳରେ ଘର ଭଡ଼ା ନେଇ ରୋଗୀଙ୍କୁ ଟାର୍ଗେଟ କରୁଥିଲେ। ସାହାଯ୍ୟ କରିବା ଆଳରେ ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ହଜାର ହଜାର ଟଙ୍କା ଠକୁଥିଲେ। ସକାଳେ ଏମ୍ସ ଟିକେଟ କାଉଣ୍ଟରରେ ଛିଡ଼ା ହୋଇ ଟୋକନ ହାତଉଥିଲେ। ଆଉ ସେହି ଟୋକନକୁ ପଶ୍ଚିମବଙ୍ଗରୁ ଆସୁଥିବା ରୋଗୀଙ୍କୁ ଦୁଇ ହଜାରରୁ ୧୦ ହଜାର ଟଙ୍କାରେ ବିକ୍ରୀ କରୁଥିଲେ । ଆଜି ଏହି ରାକେଟର ପର୍ଦ୍ଦାଫାସ କରିଛି ପୁଲିସ l
ପଶ୍ଚିମବଙ୍ଗ ରାଜ୍ୟର ପଶ୍ଚିମ ମେଦନାପୁର ଅଞ୍ଚଳର ଅମିତ ପ୍ରତିହାରୀ ଓ ଗୋପାଳ ଭଟ୍ଟ ମାସେ ହେଲା ଏମ୍ସ ପାଖରେ ଘର ଭଡ଼ା ନେଇ ରହୁଥିଲେ। ସେମାନେ ପ୍ରତିଦିନ ସକାଳେ ଲାଇନ୍ରେ ଛିଡ଼ା ହୋଇ ବିଭିନ୍ନ ବିଭାଗର ଟୋକନ କାଟୁଥିଲେ। ପରେ ସେହି ଟୋକନକୁ ଉଚ୍ଚା ଦରରେ ରାଜ୍ୟ ବାହାରୁ ଅର୍ଥାତ ପଶ୍ଚିମବଙ୍ଗରୁ ଆସୁଥିବା ରୋଗୀଙ୍କୁ ବିକୁ ଥିଲେ। ୨୦୦୦ ଟଙ୍କାରୁ ୧୦,୦୦୦ ଟଙ୍କା ଭିତରେ ଟୋକନ ବିକୁଥିଲେ। ଏହାଛଡ଼ା ମୋବାଇଲରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସହିତ ଯୋଗାଯୋଗ କରି ଟୋକନ୍ କାଟି ବିକ୍ରି କରୁଥିଲେ। ସେମାନଙ୍କୁ ଧରିବା ପାଇଁ ସାଧା ପୋଷାକରେ ପୁଲିସ ଏମାନଙ୍କ ଉପରେ ନଜର ରଖିବା ପରେ ଦଳାଲଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ। ପୁଲିସ ଆଗରେ ଦୋଷ ସ୍ବୀକାର କରିଛନ୍ତି ଦୁଇ ଦଲାଲ। ଏମାନଙ୍କ ସହ ଆଉ କିଏ ସଂପୃକ୍ତ, ତାହାକୁ ନେଇ ତଦନ୍ତ କରୁଛି ଖଣ୍ଡଗିରି ଥାନା ପୁଲିସ। ଏପରି ଦଲାଲ ନଜରକୁ ଆସିଲେ ପୁଲିସକୁ ଜଣାଇବା ପାଇଁ ପୁଲିସ ପକ୍ଷରୁ ଜନ ସାଧାରଣଙ୍କୁ ଅପିଲ କରାଯାଇଛି। ଯଦି ଏପରି ବ୍ୟକ୍ତିଙ୍କୁ କେହି ଦେଖନ୍ତି ତା’ହେଲେ ହେଲ୍ପଲାଇନ୍ ନମ୍ବର (୭୦୭୭୭୯୮୧୧୧)ରେ ଜଣାଇପାରିବେ ବୋଲି ପୁଲିସ କହିଛି।