ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ଛକ ନିକଟରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଏବଂ ୱାର୍ଡେନଙ୍କ ଉପରେ ଆକ୍ରମଣ କରିଥିବା ୩ ଜଣ ଅଭିଯୁକ୍ତଙ୍କୁ ବୈଶିଙ୍ଗା ପୁଲିସ ଗିରଫ କରିଛି। ସେମାନେ ହେଲେ ସ୍କୁଲ ନିକଟରେ ଥିବା କଳମା ଗ୍ରାମର ଶୁକଦେବ ଜେନା ଏବଂ ତାଙ୍କ ଭାଇ ସନ୍ୟାସୀ ଜେନା। ଏହି ମାମଲାରେ ଅନ୍ୟ ଜଣେ ନାବାଳକ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଅଟକ ରଖି ତଦନ୍ତ କରୁଛି।
ଗତ ୨୦ ତାରିଖ ସନ୍ଧ୍ୟାରେ ହଷ୍ଟେଲ ୱାର୍ଡେନ ସନ୍ୟାସୀ ଦାସ୍ ଏଵଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ରାଉତଙ୍କୁ ଏକ ବାଇକ୍ ରେ କଳମା ଛକକୁ ଆଣୁଥିବା ସମୟରେ ରାସ୍ତାରେ ତାଙ୍କ ଉପରେ ଅଭିଯୁକ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ବାଲେଶ୍ୱର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ସନ୍ୟାସୀ ଦାସଙ୍କୁ ମୃତ ଘୋଷଣା କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ରାଉତ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରିଥିଲେ।
ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଜନୈକା ଛାତ୍ରୀଙ୍କ ନିକଟକୁ ନିୟମିତ ଭାବେ ଏହି ଅଭିଯୁକ୍ତମାନେ ଦେଖାକରିବାକୁ ସ୍କୁଲ ଭିତରେ ପ୍ରବେଶ କରୁଥିବାରୁ ଅଧ୍ୟକ୍ଷା ସେମାନଙ୍କୁ ପ୍ରତିବାଦ କରୁଥିବାରୁ ସେମାନେ ପ୍ରତିଶୋଧ ପରାୟଣ ହୋଇ ଏହି ଆକ୍ରମଣ କରିଥିଲେ ବୋଲି ପୋଲିସ କହିଛି।