ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଉଜ୍ୱଳା ଗୋପୀନାଥପୁର ରସଲପୂର ସାହିର ସୁବାସ ପ୍ରଧାନଙ୍କ ସାଢେ ୪ ବର୍ଷର ପୁଅ ଗତ ୧୭ ତାରିଖ ଦିନ ନିଖୋଜ ହୋଇଯାଇଥିଲା। ନିଖୋଜ ହେବାର ଠିକ ୪ ଦିନ ପରେ ନିକଟସ୍ଥ ଏକ ପଥର ଖଣିରୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଶବ ଉଦ୍ଧାର କରାଯାଇଛି। ନିଖୋଜ ଶିଶୁକୁ ଖୋଜିବା ପାଇଁ ପୋଲିସ ପ୍ରଶାସନ ଗତ ୪ଦିନ ଧରି ଅପରେସନ ଚଳାଇଥିଲେ। ଏହି ଘଟଣାରେ ଜଣେ ମହିଳା ଓ ୪ ଜଣଙ୍କୁ ଅଟକ ରଖିଛି ପୋଲିସ। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ମଧ୍ୟ ଜଣାପଡିଛି। ଗିରଫ ଦୁଇଜଣ ମୃତ ଶିଶୁର ପଡୋଶୀ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡିଛି |
ସୂଚନା ଅନୁସାରେ, ଗତ 17 ତାରିଖ ଦିନ ଟାଙ୍ଗୀ ଥାନା ଭୂଷଣ୍ଡପୁର ଫାଣ୍ଡି ଅଧିନସ୍ଥ ଉଜ୍ୱଳା ଗୋପିନାଥପୁରର ସୁବାସ ପ୍ରଧାନଙ୍କ ପୁତ୍ର ସୌମ୍ୟ ରଞ୍ଜନ ପ୍ରଧାନ ଓରଫ ରାହୁଲ୍ ସମ୍ପର୍କୀୟ ଜେଜେଙ୍କ ସହ ଗାଁ ନିକଟସ୍ଥ ଖଣିକୁ ଗାଧୋଇବାକୁ ଯାଇଥିଲା। ଗାଧୋଇବାକୁ ଯାଇଥିବା ବେଳେ ଦିନ 11ଟା ପରଠାରୁ ଆଉ ଘରକୁ ଫେରିନଥିଲା। ବହୁ ଖୋଜାଖୋଜି ପରେ ଶିଶୁଟିର କିଛି ଖବର ନ ମିଳିବାରୁ ଏ ନେଇ ପରିବାର ଲୋକେ ଭୂଷଣ୍ଡପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ନିଖୋଜ ଶିଶୁକୁ ଖୋଜିବା ପାଇଁ ଅପରେସନ ଆରମ୍ଭ ହୋଇଥିଲା। ପୋଲିସ ଠାରୁ ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଦଳ ଘଟଣା ସ୍ଥଳରେ ପହଁଚି ବହୁ ଖୋଜାଖୋଜି କରିଥିଲେ। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ନିକଟସ୍ଥ ଜଙ୍ଗଲ,କୂଅ,ପୋଖରୀରେ ତଲାସ କରିଥିଲେ କିନ୍ତୁ ନିଖୋଜ ହେବାର ଠିକ 4 ଦିନ ପରେ ଗାଁ ନିକଟରେ ଥିବା ଅନ୍ୟ ଏକ ପଥର ଖଣିରେ ରାହୁଲର ଶବ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଁଚି ଶବ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି।
ଅଧିକ ପଢନ୍ତୁ ; ଆସନ୍ତା ନଭେମ୍ବର ୨୪ ରୁ ୨୬ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ