କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଜୟନଗର ଥାନା ଅଞ୍ଚଳରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇପଡ଼ିବା ସହ ଶନିବାର ସକାଳୁ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ପୁଲିସର ନିଷ୍କ୍ରିୟତା ଅଭିଯୋଗ କରି ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସ ଟିମ୍ ବିରୋଧରେ ନାରାବାଜି କରି ସେମାନଙ୍କୁ ଘଉଡ଼ାଇ ଦେଇଥିଲେ। ଏହା ସହ ଅଭିଯୁକ୍ତଙ୍କ ଘର ସମେତ ସ୍ଥାନୀୟ ମହିଷାମାରୀ ଥାନାରେ ଭଙ୍ଗାରୁଜା କରାଯାଇଛି।
ଏପରିକି ଉତ୍ତ୍ୟକ୍ତ ଲୋକେ ପୁଲିସ ଥାନାରେ ନିଆଁ ଲଗାଇ ଦେଇଛନ୍ତି। ସେମାନେ ଅଞ୍ଚଳର ମୁଖ୍ୟ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମହିଳାମାନେ ଲାଠି ଧରି ବାରୁଇପୁର ଏସ୍ଡିପିଓଙ୍କ ପାଖରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଜନତାଙ୍କୁ ହଟାଇବା ପାଇଁ ପୁଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ଏହାକୁ ନେଇ ସମଗ୍ର ଅଞ୍ଚଳରେ ବ୍ୟାପକ ଉତ୍ତେଜନାର ବାତାବରଣ ସୃଷ୍ଟି ହୋଇଛି।
ଏହି ଘଟଣାରେ ଅଭିଯୁକ୍ତ ମୋସ୍ତାକିନ୍ ସର୍ଦ୍ଦାରଙ୍କୁ ଗିରଫ କରାଯାଇଛି। ଘଟଣା ସମ୍ପର୍କରେ ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ଛାତ୍ରୀ ଜଣକ ଟ୍ୟୁସନ୍ ଯାଇଥିଲା। ରାତି ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲା। ନାବାଳିକାଙ୍କ ବାପା ରାତିରେ ଜୟନଗର ଥାନାକୁ ଯାଇଥିଲେ। ସେହି ସମୟରେ ତାଙ୍କ ଠାରୁ ନିଖୋଜ ଅଭିଯୋଗକୁ ପୁଲିସ ଗ୍ରହଣ କରିବାକୁ ମନା କରିଦେଇଥିଲା।
ଅଧିକ ପଢ଼ନ୍ତୁ: ଅପରାଧ ପଛର କାହାଣୀ ପୋଲିସକୁ କହିଲା ଅଭିଯୁକ୍ତ!