ଜବତ ହେଲା ୧୦୦ରୁ ଉର୍ଦ୍ଧ୍ୱ ରନ୍ଧନ ଗ୍ୟାସ ଟାଙ୍କି । ଏଭଳି ଘଟଣା ପାରାଦୀପର ତାରେଣୀଗଡ଼ା ଗିରିଧାରୀ ଛକରେ ଦେଖିବାକୁ ମିଳିଛି। ସୋମନାଥ ପୃଷ୍ଟିଙ୍କ ଘର ଭିତରୁ ବେଆଇନ ଭାବେ ରଖାଯାଇଥିବା ଶହ ଶହ ଗ୍ୟାସ ଟାଙ୍କିଗୁଡିକୁ ଆଜି ଜବତ କରାଯାଇଛି । ଏଥିପାଇଁ କୌଣସି ଅନୁମତି ନଥିଲା କି ଏଜେନ୍ସି ମଧ୍ୟ ନେଇ ନଥିଲେ । କିନ୍ତୁ ପ୍ରତିଦିନ ବିକ୍ରି କରୁଥିଲେ ଶହ ଶହ ଗ୍ୟାସ ଟାଙ୍କି । ତାହା ପୁଣି ଗୋଟିଏ କମ୍ପାନୀର ନୁହଁ ସବୁ କମ୍ପାନୀର ଗ୍ୟାସ ଟାଙ୍କି ତାଙ୍କ ପାଖରେ ଥିଲା । ବଟି ଆଉ ମାସିକିଆ ଦେଇ ଚାଲିଥିଲା ବେପାର । ଆଉ ଶେଷରେ ଆଜି ପ୍ରସାଶନ ସେଠାରେ ପହଞ୍ଚି ଚଢାଉ କରି ଚୋରା ବେପାରର କରିଦେଲା ପର୍ଦ୍ଦାଫାସ । ସେଠାରୁ ଜବତ ହୋଇଥିଲା ୧୦୦ରୁ ଉର୍ଦ୍ଧ୍ୱ ରନ୍ଧନ ଗ୍ୟାସ ଟାଙ୍କି । ଅନେକ ଲୋକ କାର୍ଯ୍ୟ ଅନ୍ୱେଷଣରେ ଆସି ବନ୍ଦର ନଗରୀ ପାରାଦୀପରେ ରହୁଥିବାବେଳେ ରୋଷେଇ କରିବା ପାଇଁ ଗ୍ୟାସଟିଏ ଦରକାର ହୋଇଥାଏ । ବିନା କାଗଜପତ୍ରରେ ସୋମନାଥ ଯୋଗାଇ ଦେଉଥିଲେ ଗ୍ୟାସ ଭରା ଥିବା ଟାଙ୍କି । ଗ୍ୟାସ ଟାଙ୍କିକୁ ଚଢା ଦରରେ ବିକ୍ରି କରୁଥିଲେ ସୋମନାଥ | ସେଠାରେ ବାହାରୁ ଆସି ରହୁଥିବା ଲୋକମାନେ ତାଙ୍କଠାରୁ ଟାଙ୍କି କିଣି ନେଉଥିଲେ। ଏହି ଚୋରା କାରବାର ସ୍ଥଳରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ , ଯୋଗାଣ ନିରୀକ୍ଷକ ଏବଂ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ଚଢାଉ କରିଥିଲେ ଏବଂ ସବୁ ଗ୍ୟାସ ସିଲିଣ୍ଡରଗୁଡ଼ିକୁ ଜବତ କରିଥିଲେ।
ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ଖାଉଟିଙ୍କ ନାମରେ ଗ୍ୟାସ କମ୍ପାନୀ ଗ୍ୟାସ ଟାଙ୍କି ଯୋଗାଇ ଦେଉଥିବାବେଳେ ସୋମନାଥ ଏତେ ଟାଙ୍କି ଆଉ ଗ୍ୟାସ ଆଣିଥିଲେ କେଉଁଠାରୁ। ତାଙ୍କୁ ଗ୍ୟାସ ଭରା ଟାଙ୍କି ଯୋଗାଉଥିଲା କିଏ ? ପ୍ରତି ମାସରେ ହଜାର ହଜାର ଗ୍ୟାସ ଟାଙ୍କି ସୋମନାଥଙ୍କୁ ଯୋଗାଉଥିବା ଏଜେନ୍ସି କିଏ । ଯାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।