ଇମ୍ଫାଲ: ମଣିପୁରରେ ହିଂସା କାଣ୍ଡ କମିବାର ନାଁ ନେଉନାହିଁ। ମଣିପୁରର ଉଖରୁଲ ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ବେଳେ ଏକ ପୁଲିସ ଷ୍ଟେସନରେ ପଶି ଅସ୍ତ୍ରଶସ୍ତ୍ର ଲୁଟି ନେଇଛନ୍ତି ଜନତା। ଅଧିକାରୀମାନେ କହିଛନ୍ତି ଯେ ସହରରେ ସ୍ୱଚ୍ଛତା ଅଭିଯାନ ଅନ୍ତର୍ଗତ ଏକ ବିବାଦୀୟ ଜମିସଫାକୁ ନେଇ ବୁଧବାର ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ହିଂସା କାଣ୍ଡ ସମୟରେ ଥାନା ଉପରେ ଆକ୍ରମଣ ହୋଇଥିଲା। ଦୁଇ ନାଗା ଗୋଷ୍ଠୀ ଙ୍କ ମଧ୍ୟରେ ସଂଘର୍ଷ ପରେ ସହରରେ କଟକଣା ଜାରି କରାଯିବା ସହ ମୋବାଇଲ୍ ଇଣ୍ଟରନେଟ୍ ସେବା କୁ ବନ୍ଦ କରି ଦିଆଯାଇଥିଲା।
ଉଖରୁଲ ସହରରେ ହିଂସା କାଣ୍ଡ ଘଟିବା ପରେ ଅଧିକାଂଶ ଯୁବକ ବିନୋ ବଜାରରେ ଥିବା ଥାନାରେ ପଶି ସରକାରୀ ଅସ୍ତ୍ରଶସ୍ତ୍ର ଲୁଟି ଫେରାର ହୋଇଯାଇଥିଲେ। ବେସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏକେ-୪୭ ଓ ଇନସାସ ରାଇଫଲ ଲୁଟ୍ ହୋଇଛି। ଅତୀତରେ ଅନେକ ଥାନାରୁ ଅସ୍ତ୍ରଶସ୍ତ୍ର ଲୁଟ୍ ହୋଇଥିବା ଖବର ଆସିଥିଲେ ହେଁ ସେସବୁ ମାମଲାରେ ପ୍ରତିଦ୍ୱନ୍ଦ୍ୱୀ ମେଇତି ବା କୁକି ସମ୍ପ୍ରଦାୟର ପ୍ରାଧାନ୍ୟ ରହିଥିଲା।
ଏଠାରେ ଥିବା ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନାଗା ଅଧ୍ୟୁଷିତ ଅଞ୍ଚଳରେ କୌଣସି ଥାନା ଉପରେ ଏହା ହେଉଛି ପ୍ରଥମ ଆକ୍ରମଣ। ଅତିରିକ୍ତ ପୁଲିସ ମହାନିର୍ଦେଶକ ଏଲ୍ କାଲୁନ୍ ବୁଧବାର ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ଅନ୍ୟ ଅଧିକାରୀମାନଙ୍କୁ ହାଇ ଆଲର୍ଟରେ ରହିବା ଏବଂ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦର ଉପଯୁକ୍ତ ସୁରକ୍ଷା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ଲଟ୍ ବିବାଦ ମାମଲାର ଉଭୟ ପକ୍ଷର ଲୋକ ଟାଙ୍ଗଖୁଲ ନାଗା ସମ୍ପ୍ରଦାୟର ଏବଂ ବିଭିନ୍ନ ଗ୍ରାମର। ଉଭୟ ପକ୍ଷ ସେହି ଜମି ଉପରେ ନିଜର ଅଧିକାର ଦାବି କରୁଛନ୍ତି।
ଅଧିକ ପଢ଼ନ୍ତୁ: ବନ୍ଧୁଙ୍କ ସହ ବୁଲୁଥିବା ବେଳେ ୨୧ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ