ମୁମ୍ବାଇ: ଗତ ୩ ମାସ ତଳେ ଘଟିଥିବା ପୁଣେ ସଡକ ଦୁର୍ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ। ଏକ ୧୭ ବର୍ଷୀୟ ନାବାଳକ ଦ୍ରୁତଗତିରେ ଏସୟୁଭି ଚଳାଉଥିବା ବେଳେ ପାହାନ୍ତିଆ ସମୟରେ ଏକ ବାଇକ ଆରୋହୀଙ୍କ ଉପରେ ଗାଡି ଚଢ଼ାଇଦେଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଜଣଙ୍କ ଦୁଗ୍ଧ ବ୍ୟବସାୟୀ ବୋଲି ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ପୋଲିସ ନାବାଳକ ଚାଳକ ସମେତ ୩ ଜଣଙ୍କୁ ଏହି ମାମଲାରେ ଗିରଫ କରିଛି।
ସୂଚନାଯୋଗ୍ୟ ଗୁରୁବାର ଭୋର ସମୟରେ ଦ୍ରୁତଗତିରେ ଥିବା ଏସୟୁଭି ଗାଡି ରାସ୍ତାରେ ଯାଉଥିବା ବାଇକ ଚାଳକଙ୍କୁ ଦଳିଦେଇଥିଲା। ପରବର୍ତ୍ତୀ ଅବସ୍ଥାରେ ଏହା ଭାରସାମ୍ୟ ହରାଇ ନିକଟସ୍ଥ ବିଜୁଳି ଖୁଣ୍ଟରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଘଟଣା ସ୍ଥଳରୁ ନାବାଳକ ଚାଳକ ସିଟରୁ ବାହାରି ପଳାୟନ କରୁଥିବା ବେଳେ ପୋଲିସ ତାକୁ ଧରିନେଇଥିଲେ। ତେବେ ନାବାଳକର ବୟସ ୧୭ ବର୍ଷ ହୋଇଥିବା ଜଣାପଡିଛି। ଏସୟୁଭିର ମାଲିକ ୪୮ ବର୍ଷୀୟ ଇକବାଲ ଜିବାନୀ ଓ ତାଙ୍କ ପୁଅ ୨୧ ବର୍ଷୀୟ ମୋହମ୍ମଦ ଫେଜ ଇକବାଲଙ୍କୁ ମଧ୍ୟ ଗିରଫ କରାଯାଇଛି। ତେବେ ନାବାଳକ ଗାଡି ଚଳାଉଥିବା ବେଳେ ନିଶା ସେବନ କରିଥିଲେ କି ନାହିଁ ଏନେଇ ମୁମ୍ବାଇ ପୋଲିସ ତଦନ୍ତ ଜାରି ରଖିଛି।
ଆଗକୁ ପଢ଼ନ୍ତୁ- ବନ୍ଧା ହେଲେ ବିଜେଡ଼ିର ପୂର୍ବତନ ନେତ୍ରୀ