ଭୁବନେଶ୍ୱର: ଚାକିରି କରାଇ ଦେବାକୁ କହି ନିରୀହ ଜନତାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ବିଜେଡ଼ିର ପୂର୍ବତନ ନେତ୍ରୀ ଗିରଫ ହୋଇଛନ୍ତି । ମାଲାକାନଗିରି ଜିଲ୍ଲା ମାଥିଲି ୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀଙ୍କୁ ପୋଲିସ ଗିରଫ କରିଛି । ଜଗତସିଂହପୁରରୁ ପୋଲିସ ସସ୍ମିତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।
ଗତି ତିନି ଦିନ ବିଜେଡ଼ି ଜନ ବିରୋଧି କାର୍ଯ୍ୟପାଇଁ ସସ୍ମିତା ମାଝୀଙ୍କୁ ଦଳରୁ ବହିଷ୍କୃତ କରିଥିଲା । ତେବେ ସେ ଫେରାର ଥିବା ବେଳେ ଜଗତସିଂହପୁରରୁ ପୋଲିସ ସସ୍ମିତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ତାଙ୍କର ଅନ୍ୟ ଏକ ସହଯୋଗୀ ଜୀବନ ସାହୁଙ୍କର ଏ ଯାଏଁ କୌଣସି ପତ୍ତା ମିଳି ନାହିଁ । ସେ କେଉଁଠି ଅଛନ୍ତି ସେ ନେଇ ପୋଲିସ ଟେର୍ ପାଉନି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ, ବିଜେଡିର ପୂର୍ବତନ ସାଂସଦ ପ୍ରତିନିଧି ଜୀବନ ସାହୁ ଓ କେନ୍ଦ୍ରାପଡ଼ାର ରମେଶ ଚନ୍ଦ୍ର ରାଉତ ସରଳ ଆଦିବାସୀଙ୍କୁ ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି । ସେମାନେ ଭି କେ ପାଣ୍ଡିଆନଙ୍କ ସମ୍ପର୍କିୟ ବୋଲି କହି ଲୋକଙ୍କୁ ଠକିଥିଲେ । ମିଶନ ଶକ୍ତି ମହିଳାଙ୍କ ଇ-ସ୍କୁଟିର ଟେଣ୍ଡର ପାସ କରାଇଦେବେ ବୋଲି କହି ନେଇଥିଲେ ଲକ୍ଷ ଲକ୍ଷ ଟଙ୍କା । ଭି କେ ପାଣ୍ଡିଆନଙ୍କ ଶଳା ଓ ସୁଜାତା ପାଣ୍ଡିଆନଙ୍କ ଭାଇ କହି ଜନତାଙ୍କୁ ଲୁଟିଛନ୍ତି । ସସ୍ମିତାଙ୍କୁ ଫୋନ ପେ’ ମାଧ୍ୟମରେ ଟଙ୍କା ନେଣଦେଣ ହେଉଥିଲା । ଏ ନେଇ ମାଥିଲି ଥାନାରେ ଅଭିଯୋଗ ହୋଇଛି । ପୋଲିସ ରମେଶ ଚନ୍ଦ୍ର ରାଉତଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିବାବେଳେ ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝୀ ଓ ଜୀବନ ସାହୁ ଉଭୟ ଫେରାର ହୋଇଛନ୍ତି ।
ମାଥିଲି ବ୍ଲକର ନନ୍ଦ କିଶୋର ପୁହାଣ ଟଙ୍କା ପୁଅ କୁ ଯୋଗାଣ ଅଧିକାରୀ ଚାକିରୀ କରାଇବା ପାଇଁ ସସ୍ମିତା ଓ ରମେଶଙ୍କୁ ୭ ଲକ୍ଷ ୩୦ହଜାର ଟଙ୍କା ଦେଇଥିଲେ । ସେହିପରି ଅନ୍ୟଜଣେ ବ୍ୟବସାୟୀ କାର୍ତ୍ତିକ ରାୟ ମିଶନ ଶକ୍ତି ମହିଳା ଓ କଲେଜ ଛାତ୍ରୀଙ୍କୁ ଇ-ସ୍କୁଟି ଯୋଗାଇବା ଟେଣ୍ଡର ପାଇଁ ସସ୍ମିତା ମାଝୀ ଓ ରମେଶ ରାଉତ ୨୬ ଲକ୍ଷ ୨୦ ହଜାର ଟଙ୍କା ଦେଇଛନ୍ତି । ସେହିଭଳି ୨୭ ବର୍ଷୀୟ ମାଧବ ହରେଶ କୁମାରଙ୍କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚାକିରୀ କରାଇଦେବେ କହି ଜୀବନ ସାହୁଙ୍କ ମାଧ୍ୟମରେ ରମେଶଙ୍କୁ ୧୦ ଲକ୍ଷ ୧୦ ହଜାର ଟଙ୍କା ଦେଇଥିଲେ ।