ନାବାଳକ ପାଇଁ କାଳ ସାଜିଲା ବାକିଥିବା ଟିଉସନ୍ ଫି’ । ଜଟଣୀ ବେଣାପଞ୍ଜରୀରେ ଘରେ ପଶି ନାବାଳକକୁ ହତ୍ୟା ଘଟଣାରେ ଆସିଛି ଚାଞ୍ଚଲ୍ୟକର ଖୁଲାସା । ନାବାଳକକୁ ହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଟିଉସନ୍ ଫି’ ପାଇଁ ନାବାଳକକୁ ହତ୍ୟା କରାଯାଇଥିବା ପ୍ରେସମିଟରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଏହି ସୂଚନା ଦେଇଛନ୍ତି ।
ମୃତ ନାବାଳକର ବାପା ଓ ମା’ ଟିଉସନ୍ କରନ୍ତି । ହତ୍ୟା କରିଥିବା +୨ ଛାତ୍ର ଜଣକ ସେଠାରେ ଟିଉସନ୍ ହେଉଥିଲେ । ଅଭିଯୁକ୍ତ ଛାତ୍ରର ପ୍ରାୟ ୩ରୁ ୫ ହଜାର ଟଙ୍କା ଟିଉସନ୍ ଫି’ ବାକି ରହିଥିଲା । ବାକି ଟଙ୍କା ଦେବାକୁ ତାକୁ ବାରମ୍ବାର ଟିଉସନ୍ ସାର୍ କହିଆସୁଥିଲେ । ଯାହାକୁ ନେଇ ଲଜ୍ଜିତ ହେବା ସହ ଛାତ୍ରଜଣକ ପ୍ରତିଶୋଧ ପରାୟଣ ହୋଇଏପରି କାଣ୍ଡ କରିଥିବା ଡିସିପି ପ୍ରତୀକ ସିଂହ ପ୍ରେସମିଟରେ ସୂଚନା ଦେଇଛନ୍ତି ।
କିନ୍ତୁ ଅନ୍ୟପଟେ ମୃତ ଛାତ୍ରଙ୍କ ବାପା ମନୋଜ କହିଛନ୍ତି, ଟିଉସନ୍ ଫି’ ପାଇଁ ମୋ ପୁଅକୁ ହତ୍ୟା କରାଯାଇ ନାହିଁ। ଏଗୁଡ଼ାକ ସବୁ ମିଛ କଥା। ମୁଁ କାହାକୁ ଟିଉସନ୍ ଫି’ ମାଗେ ନାହିଁ। ତାକୁ କିପରି ମାଗିବି? ସଂପୃକ୍ତ ଛାତ୍ର ଜଣକ ପ୍ରାୟ ୨ ବର୍ଷ ପୂର୍ବେ ମୋ ପାଖରେ ଟିଉସନ ହେଉଥିଲା। ମୋ ପୁଅର କେହି ଶତ୍ରୁ ନାହାନ୍ତି। ମୋ ପୁଅକୁ ସୁପାରି ଦିଆଯାଇ ହତ୍ୟା କରାଯାଇଛି । ସିବିଆଇ ତଦନ୍ତ ହେଉ, ପ୍ରକୃତ ସତ ସାମ୍ନାକୁ ଆସିବ ।
ଅନ୍ୟପକ୍ଷରେ ଅଭିଯୁକ୍ତ ଛାତ୍ରର ମାମୁଁ ମଧ୍ୟ ପୁଲିସର କଥାକୁ ବିଶ୍ୱାସ କରି ନାହାନ୍ତି। ସେ କହିଛନ୍ତି ସାର୍ ଯଦି ପଇସା ମାଗିଥାନ୍ତେ ମୋତେ ମାଗିଥାନ୍ତେ, ତାକୁ ନୁହେଁ। ସାର୍ ବହୁତ ଭଦ୍ରଲୋକ। ଟିଉସନ୍ ଫି’ କେବେ ମାଗି ନଥିବେ । ଏହା ପଛରେ ଆଉ କିଛି କାରଣ ଓ ଆଉ କିଛି ଲୋକ ରହିଛନ୍ତି । ଘଟଣାର ସିବିଆଇ ତଦନ୍ତ ହେଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।
ସୂଚନା ଅନୁସାରେ ଗତକାଲି ସଂଧ୍ୟାରେ ନାବାଳକ ଜଣକ ଘରେ ବସି ପାଠ ପଢୁଥିଲା । ଆଉ ଠିକ ସେହି ସମୟରେ ଅଭିଯୁକ୍ତ ଛାତ୍ରଜଣକ ଘରେ ପଶି ଛୁରିରେ ନାବାଳକକୁ ଆକ୍ରମଣ କରିଥିଲା । ପୋଲିସ ତଦନ୍ତ ସମୟରେ ସେଠାରୁ ଗୋଟିଏ ବ୍ୟାଗ୍ ଓ ୟୁନିଫର୍ମ ପାଇଥିଲା । ସେହି ତଥ୍ୟ ଆଧାରରେ ଅଭିଯୁକ୍ତ ଛାତ୍ରକୁ ଧରାଯାଇଛି ଏବଂ ଅଭିଯୁକ୍ତ ଛାତ୍ରଜଣକ ମଧ୍ୟ ହତ୍ୟା କରିଥିବା ସ୍ୱୀକାର କରିଛି ଏବଂ ବାରମ୍ବାର ପଇସା ମାଗିବାରୁ ସେ ଏଭଳି କରିଥିବା ଡିସିପି କହିଛନ୍ତି ।
ଅଧିକ ପଢନ୍ତୁ ;- କେନ୍ଦୁଝରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ