ପୋଲିସ- ମାଓବାଦୀ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
Khabar Odisha:Mao-camp-busted-in-Kandhamal
କନ୍ଧମାଳ, ସେପ୍ଟେମ୍ବର ୧୮ (ଖବର ଓଡ଼ିଶା):

କନ୍ଧମାଳ ଓ କଳାହାଣ୍ଡି ପୁଲିସ୍‌ର ମିଳିତ ଭାବେ ଦୁଇ ଦିନ ଧରି ବାଲିଗୁଡା ଓ ତୁମୁଡିବନ୍ଧ ଥାନା ଅଞ୍ଚଳରେ ଚଢାଉ କରି ଦୁଇଟି ମାଓ କ୍ୟାମ୍ପ ଧ୍ୱଂସ କରିବା ସହ ବନ୍ଧୁକ ଓ ଅନେକ ମାଓ ସାମଗ୍ରୀ ଜବତ କରିଛି । ଆଜି ଏ ନେଇ କନ୍ଧମାଳ ଏସପି ଭୀନିତ୍ ଅଗ୍ରୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ମାଓ ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂତ୍ରରୁ ଖବର ପାଇ ଗତ ୧୫ ତାରିଖରେ ବାଲିଗୁଡା ଥାନା ପୋଖରିବନ୍ଧ ଜଙ୍ଗଲରେ ପୁଲିସ୍‌ର ଏସଓଜି ଓ ଡିବିଏଫ ଟିମ୍ କୁମ୍ବିଂ ଅପରେସନ କରିଥିଲା । ଏହି ସମୟରେ ମାଓବାଦୀଙ୍କ ସହ ସାମନା ସାମନି ହେବା ସହ ଗୁଳିବିନିମୟ ହୋଇଥିଲା । ପ୍ରାୟ ୧୫ ମିନିଟ୍ ଗୁଳିବିନିମୟ ପରେ ମାଓବାଦୀ ମାନେ ଘଂଚ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ । ଏହାପରେ ପୁଲିସ୍ ସର୍ଚ ଅପରେସନ କରି ଏକ ମାଓ କ୍ୟାମ୍ପ ଠାବ କରି ସେଠାରୁ ୩ଟି ଦେଶି ବନ୍ଧୁକ ସହ ଅନ୍ୟ ମାଓ ସାମଗ୍ରୀ ଏବଂ ଔଷଧ ଜବତ କରିଥିଲା । ପୁଣି ପରଦିନ ଅର୍ଥାତ୍ ୧୬ ତାରିଖରେ କନ୍ଧମାଳ ଓ କଳାହାଣ୍ଡି ପୁଲିସ୍ ମିଳିତ ଭାବେ ତୁମୁଡିବନ୍ଧ ଥାନା ବୁରାନଇ ଜଙ୍ଗଲରେ କୁମ୍ବିଂ ଅପରେସନ କରିଥିଲେ । ସେହି ଜଙ୍ଗଲରେ କନ୍ଧମାଳ ପୁଲିସ୍‌ର ଏସଓଜି ଓ ଡିବିଏଫ ଟିମ୍‌ଙ୍କ ସହ ମାଓବାଦୀଙ୍କ ଦୁଇଥର ଗୁଳିବିନିମୟ ହୋଇଥିଲା । ଏଥର ମଧ୍ୟ ମାଓବାଦୀମାନେ ଘଂଚ ଜଙ୍ଗଲ ମଧ୍ୟକୁ ପଳାଇଥିଲେ । ଏଠାରେ ମଧ୍ୟ ଏକ ମାଓ କ୍ୟାମ୍ପ ଠାବ ହୋଇଥିଲା ଓ ସେଠାରୁ ମାଓ ସାମଗ୍ରୀ ଓ ଔଷଧ ଜବତ ହୋଇଥିଲା । ମାଓବାଦୀଙ୍କ ଏହି ଦୁଇ କ୍ୟାମ୍ପର କେକେବିଏନ ଡିଭିଜନର ୧୦ରୁ୧୫ ଜଣ ମାଓବାଦୀ ଥିବାର ସନ୍ଦେହ କରାଯାଉଛି । ମାଓ ସଂଗଠନର କେନ୍ଦ୍ରୀୟ ନେତା ମୁରଲୀ ଉକ୍ତ କ୍ୟାମ୍ପରେ ରହି ମାଓ ସଂଗଠନକୁ ଦୃଢ କରିବାକୁ ଉଦ୍ୟମ କରୁଥିବା ସୂଚନା ମିଳୁଥିବା ଏସପି ଅଗ୍ରୱାଲ କହିଛନ୍ତି । ତେବେ କନ୍ଧମାଳ ପୁଲିସ୍ ଏଥି ପ୍ରତି ସତର୍କ ରହିଥିବା ଏସପି ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ ଏକ ସପ୍ତାହ ତଳେ ବାଲିଗୁଡା ଥାନା ଅନ୍ତର୍ଗତ ଭଣ୍ଡରଙ୍ଗି ସିର୍କି ଜଙ୍ଗଲରେ କଳାହାଣ୍ଡି ପୁଲିସ୍ ଗୁଳିରେ ପାଂଚ ଜଣ ମାଓବାଦୀ ନିହତ ହୋଇଥିଲେ । ଦୁଇଜଣ ଏସଓଜି ଜୱାନ ମଧ୍ୟ ସହିଦ୍ ହୋଇଥିଲେ । ଏହା ପୂର୍ବରୁ ଗତ ଜୁଲାଇ ମାସରେ କନ୍ଧମାଳ ପୁଲିସ୍ ଦ୍ୱାରା ତୁମୁଡିବନ୍ଧ ଥାନା ସିର୍ଲା ଜଙ୍ଗଲରେ ଦୁଇ ଥର ମାଓବାଦୀଙ୍କ ସହ ଗୁଳିବିନିମୟ ହୋଇ ସାତ ଜଣ ମାଓବାଦୀ ନିହତ ହୋଇଥିଲେ ।

  • Tags:

Subscribe

National International State Sports Entertainment