ଖବର ଓଡିଶା : 15/03/2023
ସ୍ତ୍ରୀଙ୍କୁ ଶାବଳରେ ପିଟିପିଟି ହତ୍ୟା କଲା ସ୍ବାମୀ । ଏଭଳି ଘଟଣା ଘଟିଛି କେନ୍ଦ୍ରପଡ଼ା ଜିଲ୍ଲାରେ। ମୃତ ମହିଳା ଜଣଙ୍କ ହେଲେ କମଳା ଓଝା। ପୁଲିସ ସ୍ୱାମୀ ଅଜୟ ଓଝାଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ ପାଟକୁରା ଥାନା ଅନ୍ତର୍ଗତ ମଙ୍ଗରାଜପୂର ପଂଚାୟତର ମଧୁସୂଦନପୁର ଗ୍ରାମର ଅଜୟ ଓଝା ଓ ତାଙ୍କର ପତ୍ନୀ କମଳା ଓଝା (୬୨)ଙ୍କ ମଧ୍ୟରେ ନିତିଦିନିଆ ଝଗଡ଼ା ହୋଇଥାଏ। ମଙ୍ଗଳବାର ବିଳମ୍ବିତ ରାତିରେ ମଧ୍ୟ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ଝଗଡ଼ା ହୋଇଥିଲା। ଏହା ଅନ୍ୟ ଦିନ ତୁଳନାରେ ଅଧିକ ଥିଲା। କଳହ ଉଗ୍ରରୂପ ନେଇଥିଲା। ଏହି ସମୟରେ ଅଜୟ ଏକ ଶାବଳ ଆଣି ତାଙ୍କ ମୁଣ୍ଡକୁ ବାଡ଼େଇ ଦେଇଥିଲେ। ଘଟଣାସ୍ଥଳରେ କମଳାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ପଡ଼ୋଶୀ କମଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।