ଜୟପୁର: ଘରଭଡ଼ାକୁ ନେଇ ଘର ମାଲିକ ଓ ଭଡାଟିଆଙ୍କ ମଧ୍ୟରେ ନିତିଦିନ ହେଉଥିବା ଝଗଡ଼ା ଏବେ ସାଧାରଣ ଘଟଣା ପାଲଟି ଯାଇଛି । ମାଲିକ ଘରଭଡ଼ା ମାଗିବାରୁ ଭଡାଟିଆ ରକ୍ତମୁଖା ହୋଇଛିି । ଛୁରି ଭୁସି ଘରମାଲିକଙ୍କ ଜୀବନ ନେଇଛି । ରାଜସ୍ଥାନର ରାଜଧାନୀ ଜୟପୁରରେ ଏହି ଅଭାବନୀୟ ଘଟଣା ଘଟିଛି ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜୟପୁର ନିବାସୀ ପ୍ରେମ ଦେବୀ ନାମ୍ନୀ ଜଣେ ବୃଦ୍ଧା ମନୋଜ ବୈରୱାଙ୍କୁ ଘରଭଡ଼ା ଦେଇଥିଲେ । ମନୋଜର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ସେ ଠିକ୍ ସମୟରେ ଘରଭଡ଼ା ଦେଇପାରୁ ନଥିଲା । ଏହି କାରଣରୁ ଘରମାଲିକ ଓ ମନୋଜ ମଧ୍ୟରେ ପ୍ରାୟତଃ ଝଗଡ଼ା ଲାଗି ରହୁଥିଲା ।
ଘଟଣା ଦିନ ମନୋଜକୁ ପ୍ରେମ ଦେବୀ ପୁଣି ଥରେ ଟଙ୍କା ମାଗିଥିଲେ । ସେଦିନ ମନୋଜ ନିଶାସକ୍ତ ଅବସ୍ଥାରେ ଥିଲା । ତେଣୁ ହିତାହିତ ଜ୍ଞାନ ଭୁଲି ଯାଇଥିଲା । ଏକ ଧାରୁଆ ଛୁରି ଆଣି ଅତର୍କିତ ଆକ୍ରମଣ କରିଥିଲା । ଏହି ସମୟରେ ବୃଦ୍ଧାଙ୍କ ନାତି ଦେଖି ଚିତ୍କାର କରିଥିଲା । ତେଣୁ ଛୋଟ ପିଲାକୁ ମଧ୍ୟ ମନୋଜ ଛୁରିରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଜେଜେମା ଓ ନାତିଙ୍କ ମୃତ୍ୟୁ ହୋଇଥିଲା । ଜୟପୁର ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା । ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।