ଖବର ଓଡିଶା : 22/03/2023
ଭୁବନେଶ୍ୱର ଶିଶୁଭବନ ଛକରେ ଥିବା ଏକ ହୋଡିଂ ଟାୱାରରେ ଚଢିଗଲେ ଜଣେ ବ୍ୟକ୍ତି । ୪୦ ଫୁଟ ଟାୱାର ଉପରେ ଚଢି ଆତ୍ମହତ୍ୟା ଧମକ ଦେଇଥିଲେ । ପ୍ରାୟ ୨ ଘଣ୍ଟା ପରେ ଟାୱାର ଉପରୁ ଅଗ୍ନିଶମ ବାହିନୀ ସଂପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କ ନାଁ ଟୁଲ ପାତ୍ର। ଟୁଲଙ୍କ ଘର ବାଲେଶ୍ୱର ଅଞ୍ଚଳରେ ବୋଲି ଜଣାଯାଇଛି। ସେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି | ତାଙ୍କ ଅଭିଯୋଗ ଅନୁସାରେ ଡ୍ରାଇଭର ସଂଘ ତାଙ୍କୁ ମାନସିକ ନିର୍ଯାତନା ଦେବା ସହ ତାଙ୍କ ପରିବାର ଲୋକଙ୍କୁ ଧମକ ଦେଉଛନ୍ତି । ଡ୍ରାଇଭର ମହାସଂଘ ଆନ୍ଦୋଳନ ବେଳେ ପୋଲିସକୁ କାହିଁକି ଆକ୍ରମଣ କରାଗଲା ଏବଂ ବିଭିନ୍ନ ସ୍ଥାନରେ ଡ୍ରାଇଭର ମାନଙ୍କୁ କାହିଁକି ମାନସିକ ନିର୍ଯାତନା ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଡ୍ରାଇଭର ମହାସଂଘର ଧମକ ପରେ ସେ ମାନସିକ ଚାପରେ ଥିବା କହିଛନ୍ତି । ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ ଭୁବନେଶ୍ୱରର ଶିଶୁ ଭବନ ଛକରେ ଥିବା ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ରାଉରକେଲାର ଯୁବ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ଵାଳ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସୁଯୋଗ ନମିଳିବାରୁ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ଆତ୍ମହତ୍ୟା କରିବା ପାଇଁ ଧମକ ଦେଇଥିଲେ।