ନୂଆଦିଲ୍ଲୀ: ଭାରତୀୟ ନ୍ୟାୟ ସଂହିତା ବଳରେ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର କମଳା ମାର୍କେଟ ଥାନାରେ ପ୍ରଥମ ମାମଲା ରୁଜୁ କରାଯାଇଛି। ନୂଆ ଦଣ୍ଡ ସଂହିତା ଭାରତୀୟ ନ୍ୟାୟ ସଂହିତା ବଳରେ ଏହି କାର୍ଯ୍ୟାନୁଷ୍ଠାନ ରାସ୍ତାକଡ଼ର ଜଣେ ବ୍ୟବସାୟୀଙ୍କ ବିରୋଧରେ ନିଆଯାଇଛି। ଅଭିଯୁକ୍ତ ହେଲା ପଙ୍କଜ କୁମାର, ଯିଏକି ବିହାର ମୂଳ ନିବାସୀ।
ଖବର ସରବରାହ ସଂସ୍ଥା ଏଏନ୍ଆଇ ରିପୋର୍ଟ ଅନୁସାରେ କମଳା ମାର୍କେଟ ଥାନାରେ ଭାରତୀୟ ନ୍ୟାୟ ସହିତାର ଧାରା ୨୦୨୩ ବଳରେ ପ୍ରଥମ ମାମଲା ରୁଜୁ କରାଯାଇଛି। ନୂଆଦିଲ୍ଲୀ ରେଳଷ୍ଟେସନର ଫୁଟଓଭର ବ୍ରିଜ ତଳେ ଅବରୋଧ ସୃଷ୍ଟି କରିବା ଓ ବିକ୍ରି ବିରୋଧରେ ଏହି ମାମଲା ରୁଜୁ ହୋଇଛି। ଅଭିଯୁକ୍ତର ନାମ ବିହାରର ବାଢ଼ ନିବାସୀ ପଙ୍କଜ କୁମାର। ପୁଲିସ ମାମଲା ରୁଜୁ କରିବା ସହ କହିଛି, ଅଭିଯୁକ୍ତ ମୁଖ୍ୟ ସଡ଼କ ନିକଟରେ ଏକ ଠେଲାଗାଡ଼ିରେ ଧୂମ୍ରପାନ ଓ ପାଣି ବିକ୍ରି କରୁଥିଲା। ଏହା ଦ୍ବାରା ଲୋକଙ୍କର ଯାତାୟତରେ ବାଧା ପହଞ୍ଚୁ ଥିଲା। ପୁଲିସ ଯେତେବେଳେ ଅଭିଯୁକ୍ତକୁ ଏବାବଦରେ କହିଥିଲା, ସେ ଏହାକୁ ଗୁରୁତ୍ବ ଦେଉନଥିଲା।
ସୂଚନାଯୋଗ୍ୟ, ଦେଶରେ ଆଜିଠାରୁ ନୂଆ ଅପରାଧିକ ଆଇନ ଲାଗୁ ହୋଇଛି। ଏଣକି ସବୁ ଅପରାଧ ନୂଆ ଆଇନ ଅନୁସାରେ ରୁଜୁ ହେବ। ଜୁଲାଇ ୧ରୁ ଦେଶରେ ଆଇପିସି, ସିଆରପିସି ଓ ଭାରତୀୟ ସାକ୍ଷ୍ୟ ଅଭିଯାନ ସ୍ଥାନରେ ୨ଟି ନୂଆ ଆଇନ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧୀନିୟମ ଲାଗୁ ହୋଇଛି।