ଚେନ୍ନାଇ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ପାର୍ଟି ୱାଇଏସ୍ଆର କଂଗ୍ରେସର ରାଜ୍ୟସଭା ସାଂସଦଙ୍କ ଝିଅଙ୍କ କାର୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ପରେ ସାଂସଦଙ୍କ ଝିଅ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ପୁଲିସ ତାଙ୍କୁ ଟ୍ରାସ୍ କରି ଗିରଫ କରିଥିଲା। ମାତ୍ର ଅଳ୍ପ ସମୟ ପରେ ତାଙ୍କୁ ପୁଲିସ ଷ୍ଟେସନ ଛାଡ଼ି ଦେଇଥିଲା।
ପୁଲିସ କହିବା ଅନୁସାରେ ଅଭିଯୁକ୍ତା ୱାଇଏସ୍ଆର କଂଗ୍ରେସ ସାଂସଦ ବୀଡ଼ା ମସ୍ତାନ ରାଓଙ୍କ ଝିଅ ମାଧୁରୀ ଅଟନ୍ତି। ମାଧୁରୀଙ୍କ କାର ବେସେଣ୍ଟ ନଗର ଅଞ୍ଚଳରେ ରାସ୍ତାକଡ଼ରେ ନିଶାସକ୍ତ ଅବସ୍ଥାରେ ଥିବା ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା। ଫଳରେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ଜୀବନ ହରାଇଥିବା ଯୁବକଙ୍କ ନାମ ସୂର୍ଯ୍ୟା (୨୧) ବୋଲି ଚିହ୍ନଟ ହୋଇଛି।
ସୋମବାର ସନ୍ଧ୍ୟାରେ ସୂର୍ଯ୍ୟା ନିଶାସକ୍ତ ଅବସ୍ଥାରେ ଚେନ୍ନାଇର ବେସେଣ୍ଟ ନଗର ଅଞ୍ଚଳରେ ଏକ ଫୁଟପାଥରେ ପଡ଼ିଥିଲେ। ଏହି ସମୟରେ ସାଂସଦଙ୍କ ଝିଅ କାର୍ରେ ପହଞ୍ଚି ଥିଲେ। କାର୍ରେ ମାଧୁରୀ ଓ ତାଙ୍କର ସାଙ୍ଗ ଯାଉଥିଲେ। ଅଭିଯୁକ୍ତା ମାଧୁରୀ କହିଛନ୍ତି, ମଦପିଇ ରାସ୍ତାରେ ପଡ଼ିଥିବା ଯୁବକଙ୍କୁ ସେ ଦେଖି ନଥିଲେ। ତେବେ ସ୍ଥାନୀୟ ଲୋକେ ଉତ୍ତେଜିତ ଥିବାରୁ ଦୁର୍ଘଟଣା ପରେ ସେଠାରୁ ଫେରାର ହୋଇଥିଲେ। ମୃତ ସୂର୍ଯ୍ୟାଙ୍କ ପତ୍ନୀ ବିନିତାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।