ନୂଆଦିଲ୍ଲୀ, ଜୁନ୍ ୧୭ (ଖବର ଓଡ଼ିଶା): ଦିଲ୍ଲୀ ପୋଲିସ ଜଣେ ଏଭଳି ଅଭିଯୁକ୍ତକୁ ଗିରଫ କରିଛି, ଯିଏକି ୨୦୦ ମହିଳାଙ୍କୁ ଅନ୍ଲାଇନ୍ରେ ଖରାପ ମେସେଜ ପଠାଇଥିଲା । ଏହା ବ୍ୟତୀତ ଅଶ୍ଲୀଳ ଫଟୋ-ଭିଡିଓ ମଧ୍ୟ ପଠାଉଥିଲା । ଏହି ଚତୁର ଅଭିଯୁକ୍ତର ନାଁ ମନୋଜ କୁମାର । ସେ ଏକ କାରଖାନାରେ କାମ କରେ । ପୋଲିସ ମନୋଜ ପାଖରୁ ଏକ ମୋବାଇଲ ଫୋନ ଓ ୨ଟି ସିମ କାର୍ଡ ମଧ୍ୟ ଜବତ କରିଛି ।
ଦିଲ୍ଲୀ ପୋଲିସର ସାଇବର ସେଲ ଜଣେ ମହିଳାଙ୍କ ଏତଲାକୁ ଭିତ୍ତିକରି କିଛି ଦିନ ହେଲା ତଦନ୍ତ ଜାରି ରଖିଥିଲା । ଅଭିଯୋଗ ଅନୁସାରେ ମହିଳାଙ୍କ ଫେସବୁକ ପେଜରେ କୌଣସି ଜଣେ ବ୍ୟକ୍ତି ଅନଲାଇନ ମେସେଜ ପଠାଉଥିଲା । ତଦନ୍ତ ସମୟରେ ପୋଲିସ ସବୁ ସାମାଜିକ ଗଣମାଧ୍ୟମର ନେଟୱାର୍କରୁ ଅଭିଯୁକ୍ତ ସଂପର୍କରେ ତଥ୍ୟ ମାଗିଥିଲା । ଏହା ପରେ ଅଭିଯୁକ୍ତ ଯେଉଁ ନମ୍ବରରେ କଲ କରୁଥିଲା, ଏହାର କଲ ଡିଟେଲ ମଧ୍ୟ ବାହାର କରାଗଲା । ଏହି କଲରେକର୍ଡକୁ ଭଲ ଭାବେ ତଦନ୍ତ କରାଗଲା ।
ପୋଲିସ ଜାଣିବାକୁ ପାଇଲା ଯେ, ଅଭିଯୁକ୍ତ ହରିୟାଣାର ବାହାଦୂରଗଡ଼ ନିବାସୀ ଅଟେ । ସେ ଏକ ଜୁସ କାରଖାନାରେ କାମ କରେ । ପୋଲିସ ଟ୍ରାପ ଲଗାଇ ଜୁନ ୧୫ରେ ଅଭିଯୁକ୍ତକୁ ଗିରଫ କରିଥିଲା । ପୋଲିସ ଯେତେବେଳେ ଫୋନ ଯାଞ୍ଚ କରିଥିଲା, ଏଥିରେ ଅଶ୍ଲୀଳ ଫଟୋ, ଭିଡିଓ ଓ ମେସେଜ ପାଇଥିଲା । ଏହାକୁ ସେ ମହିଳାଙ୍କ ନମ୍ବରକୁ ପଠାଉଥିଲା ।