ଔରିୟା, ସେପ୍ଟେମ୍ବର ୨୭ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ଔରିୟାରେ ଦଶମ ଶ୍ରେଣୀରେ ପଢୁଥିବା ଜଣେ ଦଳିତ ଛାତ୍ରକୁ ସ୍କୁଲରେ ଶିକ୍ଷକ କଥିତ ଭାବେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ମାଡ଼ ଖାଇବା ପରେ ଛାତ୍ରର ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଥିଲା ଏବଂ ତାକୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ କି ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଉତ୍ତେଜିତ ଲୋକେ ପୁଲିସର ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ।
ଉତ୍ତେଜିତ ଲୋକେ ପୁଲିସ ଗାଡ଼ି ଉପରକୁ ପଥର ମାଡ଼ କରିବା ସହିତ ନିଆଁ ଲଗାଇ ଦେଇଥିଲେ । ଛାତ୍ରର ମୃତ୍ୟୁ ଘଟଣାକୁ ନେଇ ଅଭିଯୋଗ ମିଳିବା ପରେ ପୁଲିସ ଥାନାରେ ମାମଲା ରୁଜୁ କରିଛି । ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ଔରିୟା ଅଛଲଦା ଥାନା ଅଂଚଳ ବେସୌଲି ନିବାସୀ ରାଜୁ ଦୋହରୀଙ୍କ ପୁତ୍ର ନିଖିଲ ଦଶମ ଶ୍ରେଣୀର ଛାତ୍ର ଥିଲା । ନିଖିଲ ସ୍କୁଲରେ ପଢ଼ିବାକୁ ଯାଇଥିଲା । ଚଳିତ ମାସ ୭ ତାରିଖର ଘଟଣା । କୌଣସି କାରଣକୁ ନେଇ ଶିକ୍ଷକ ଅଶ୍ୱନୀ ସିଂହଙ୍କ ମାଡ଼ରେ ନିଖିଲର ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା । ପରେ ତାକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିବାରୁ ଉତ୍ତେଜିତ ଜନତା ପୁଲିସକୁ ଟାର୍ଗେଟ କରିଥିଲେ । ପୁଲିସ ଗାଡ଼ି ଉପରକୁ ପଥର ମାଡ଼ କରିବା ସହିତ ନିଆଁ ଲଗାଇ ଦେଇଥିଲେ ।