ନୂଆଦିଲ୍ଲୀ, ଜୁନ୍ ୧୮ (ଖବର ଓଡ଼ିଶା): ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ତିହାର ଜେଲରୁ ଜାମିନରେ ଆସିଥିବା ଜଣେ କୁଖ୍ୟାତ ଅପରାଧୀର ସମ୍ମାନରେ ସଡ଼କ ଉପରେ ପରେଡ କରିବା ଓ ସ୍ପେଶାଲ ଅନୁଭବ କରାଇବା ଯୋଜନା ୮୩ ଜଣଙ୍କୁ ମହଙ୍ଗା ପଡ଼ିଛି । ଏବେ ଏମାନଙ୍କୁ ଜେଲଭିତରେ ପବନ ଖାଇବାକୁ ପଡୁଛି । ଦକ୍ଷିଣ ପଶ୍ଚିମ ଦିଲ୍ଲୀର କ୍ୟାଣ୍ଟ ଥାନା ଅଞ୍ଚଳରେ ପୋଲିସ ଗୁରୁବାର ରାତିରେ ସଡ଼କରେ ଭିଡ ଲଗାଇ ସ୍ୱତନ୍ତ୍ର ଯୋଜନା କରୁଥିବା ଅଭିଯୋଗରେ ୮୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୩୩ ଜଣଙ୍କ ନାଁରେ ପୂର୍ବରୁ ହତ୍ୟା, ହତ୍ୟା ଉଦ୍ୟମ, ଲୁଟ ଓ ଅସ୍ତ୍ର ଆଇନ ଅନୁସାରେ ମାମଲା ରୁଜୁ ହୋଇଛି ।
ଗିରଫ ଅଭିଯୁକ୍ତମାନଙ୍କ ସହିତ କିଛି ଭିଭିଆଇପି ଗାଡ଼ି ମଧ୍ୟଥିଲା । ଅନେକ ଗାଡ଼ିରେ ଏମ୍ପି-ଏମ୍ଏଲ୍ଏ ଷ୍ଟିକର ଲାଗିଥିଲା । ଗୋଟିଏ ଜିପରେ ଏକେ-୪୭ ଥିବା ଦେଖାଉଥିବା ସିଦ୍ଧୁ ମୁସେୱାଲାଙ୍କର ଫଟୋ ଥିଲା । ସାଙ୍ଗ ତିହାର ଜେଲରୁ ବାହାରିଥିବାରୁ ଅଭିଯୁକ୍ତମାନେ ଗିରଫ ପୂର୍ବରୁ ରାସ୍ତାରେ ମସ୍ତି କରୁଥିଲେ । ପୋଲିସ ଅଭିଯୁକ୍ତମାନଙ୍କ ଠାରୁ ୧୯ଗାଡ଼ି ଓ ଦୁଇ ଚକିଆ ବାହନ ଜବତ କରିଛି ।