ମଦୁରାଇ, ସେପ୍ଟେମ୍ବର ୨୫ (ଖବର ଓଡ଼ିଶା): ତାମିଲନାଡୁର ଦ୍ୱିତୀୟ ବୃହତ୍ତ ସହର ମଦୁରାଇରେ ଦୁର୍ବୃତ୍ତମାନେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍ଏସ୍)ର ଜଣେ ସଭ୍ୟଙ୍କ ଘର ଉପରକୁ ୩ଟି ପେଟ୍ରୋ ବୋମାମାଡ଼ କରିଛନ୍ତି । ଶନିବାର ସନ୍ଧ୍ୟା ୭ଟା ୩୮ରେ ଏହି ଅଭାବନୀୟ ଘଟଣା ଘଟିଛି । ପେଟ୍ରୋଲ ବୋମା ଫିଙ୍ଗାଯିବା ଘଟଣା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି । ଏମ୍ଇଏଲ ଆନୁପ୍ପାଣ୍ଡି ହାଉସିଂ ବୋର୍ଡ ଅଂଚଳରେ ଥିବା ଏମ୍ଏସ୍ କ୍ରିଷ୍ଣା ରେସିଡେନ୍ସି ଉପରେ ବୋମାମାଡ଼ ହୋଇଛି ।
ସିସିଟିଭି ଫୁଟେଜରୁ ଦେଖାଯାଉଛି, ବାଇକ ଆରୋହୀ ଦୁର୍ବୃତ୍ତ ପେଟ୍ରୋଲ ବୋମାମାଡ଼ କରିଛନ୍ତି । ସେମାନେ ଅତର୍କିତ ଭାବେ ବୋମାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଅଭିଯୋଗ ପରେ ପୁଲିସ ଘଟଣାକୁ ନେଇ ଛାନ୍ଭିନ୍ ଆରମ୍ଭ କରିଦେଇଛି । ପୁଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ାଇଛି । ତେବେ ଏହି ବୋମାମାଡ଼ ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନଥିବା ପୁଲିସ ଗଣମାଧ୍ୟମକୁ ସୂଚନା ଦେଇଛି । ଏନେଇ ଆରଏସଏସ ସଦସ୍ୟ କ୍ରିଷ୍ଣା ଏବଂ ବିଜେପି ମଦୁରାଇ ଜିଲ୍ଲା ସଭାପତି ସୁଶୀନ୍ଦ୍ରନ କୀରାଥୁରାଇ ଥାନାରେ ଏତଲା ଦେଇଛନ୍ତି ।