ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ସାଢ଼େ ୭ ବର୍ଷ ମଧ୍ୟରେ ଏନକାଉଣ୍ଟରରେ ୫୦ ଜଣ କୁଖ୍ୟାତ ଅପରାଧୀଙ୍କୁ ନିପାତ କରିଛି। ସୁଲତାନପୁର ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଅନୁଜ ପ୍ରତାପ ସିଂହ ସୋମବାର ସକାଳେ ଏସ୍ଟିଏଫ୍ ଏନ୍ କାଉଣ୍ଟରରେ ନିହତ ହୋଇଛି। ରାଜ୍ୟର ଆଇନ ଶୃଙ୍ଖଳାରେ ଉନ୍ନତି ଆଣିବା ପାଇଁ ଏସ୍ ଟିଏଫ୍ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ୮୭୨ ଜଣ ଅପରାଧୀ ଓ ବେଆଇନ ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକାରୀଙ୍କ ସମେତ ୩୭୯ ଜଣ ସାଇବର ଅପରାଧୀଙ୍କୁ ଜେଲ୍ ପଠାଇଛି। ସେହିପରି ୭,୦୧୫ ଜଣ କୁଖ୍ୟାତ ଓ ପୁରସ୍କୃତ ଅପରାଧୀଙ୍କୁ ଗିରଫ କରାଯାଇଛି।
ଏସ୍ ଟିଏଫ୍ ଏଡିଜି ଅମିତାଭ ୟଶ କହିଛନ୍ତି ଯେ, ରାଜ୍ୟରେ ଅପରାଧ ଓ ଅପରାଧୀଙ୍କୁ ଧରିବା ପାଇଁ ଏସ୍ ଟିଏଫ୍ ପକ୍ଷରୁ ନିରନ୍ତର ଅଭିଯାନ ଚାଲିଛି। ଏସଟିଏଫର ସକ୍ରିୟତା ବଳରେ ଗତ ସାଢ଼େ ସାତ ବର୍ଷ ମଧ୍ୟରେ ୫୫୯ରୁ ଅଧିକ ଅପରାଧିକ ଘଟଣା କୁ ରୋକାଯାଇପାରିଛି। ଏଥିରେ ଅପହରଣ, ଲୁଟ୍, ଜନପ୍ରତିନିଧି, ବିଶିଷ୍ଟ ବ୍ୟକ୍ତି, ସାଧାରଣ ନାଗରିକଙ୍କ ହତ୍ୟା ଭଳି ଅପରାଧ ରହିଛି। ଏଥିସହ ୩୯୭୦ ସଂଗଠିତ ଅପରାଧୀଙ୍କୁ ଗିରଫ କରାଯାଇଛି।
ପରୀକ୍ଷାରେ ନକଲି ଓ ପ୍ରଶ୍ନପତ୍ର ଲିକ୍ ଭଳି ଠକେଇକୁ ରୋକିବା ଓ ମୂଳପୋଛ କରିବା ପାଇଁ ଏସ୍ଟିଏଫ୍ ୧୯୩ଟି ଗ୍ୟାଙ୍ଗର ୯୨୬ କିଙ୍ଗପିନ୍ ଓ ସାଲଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେହିପରି ୧୮୯ ଜଣ ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକାରୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୨୦୮୦ଟି ବେଆଇନ ଅସ୍ତ୍ରଶସ୍ତ୍ର ଓ ୮୨୨୯ଟି ବେଆଇନ ଗୁଳି ଜବତ କରାଯାଇଛି।
ବେଆଇନ ନିଶା କାରବାରରେ ସମ୍ପୃକ୍ତ ୧୦୮୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୯୧୧୪୭.୪୮ କେଜି ଗଞ୍ଜେଇ, ୨୦୫୪.୬୫୧ କେଜି ଚରସ, ୧୯୭୨୭.୧ କେଜି ଡୋଡା, ୭.୦୬ କେଜି ମର୍ଫିନ, ୭୨୩.୭୫୮ କେଜି ସ୍ମାକ୍, ୨୧.୫୨୧ କେଜି ହେରୋଇନ୍, ୧୮୧.୦୧୨ କେଜି ଅଫିମ ଓ ୬.୧ କେଜି ବ୍ରାଉନସୁଗାର ଜବତ କରାଯାଇଛି।
ସେହିପରି ନିଷିଦ୍ଧ ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣରେ ସମ୍ପୃକ୍ତ ବିଭିନ୍ନ ଗ୍ୟାଙ୍ଗର ୧୭୦ ଜଣ ସଦସ୍ୟଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୩୪୧ କେଜି କଇଁଛ, ୨ଟି ପାଗୋଲିନ, ଗୋଟିଏ ବାଘ ଚମଡ଼ା, ୧୮ କେଜି ବାଘ ହାଡ଼, ୨ଟି ହାତୀ ଦାନ୍ତ, ୮୦୧୧ କଇଁଛ, ୫୬୩.୧ କେଜି ଲାଲ ଚନ୍ଦନ କାଠ, ୪୪ଟି ହାତୀ ଦାନ୍ତ, ୨୫ଟି ଚିତାବାଘ ଦାନ୍ତ ଓ ୨୪ଟି ନଖ ଓ ୧୧୦ଟି କଦଳୀ ସିଙ୍ଗି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।
ଅଧିକ ପଢ଼ନ୍ତୁ: ଚନ୍ଦ୍ରରେ ପୁଣି ଚମତ୍କାର ପ୍ରଦର୍ଶନ କଲା ପ୍ରଜ୍ଞାନ ରୋଭର